ନୟାଗଡ଼, (ବାଘୁଆବାର୍ତ୍ତା): ରଙ୍ଗର ପର୍ବ ହୋଲିରେ ରଙ୍ଗ ଖେଳିବା ବଦଳରେ କାଲି ସିନ୍ଧୁର ନାଇଥାନ୍ତା ୧୫ ବର୍ଷର ନାବାଳିକା । କୈାଣସି ସୁତ୍ରରୁ ଖବର ପାଇ ପ୍ରଶାସନ ଓ ଚାଇଲ୍ଡ ଲାଇନ କର୍ତ୍ତୁପକ୍ଷ ତାକୁ ଉଠାଇ ଆଣିଛନ୍ତି । ସୂଚନାନୁସାରେ, ଆଜି ରଣପୁର ବ୍ଲକର ଜଣେ ୧୫ ବର୍ଷିୟା ନାବାଳିକାଙ୍କୁ ଉଦ୍ଧାର କରାଯାଇଛି । ନାବାଳିକା ଜଣଙ୍କ କିଛିଦିନ ତଳେ ମାଟ୍ରିକ ପରୀକ୍ଷା ଦେଇଥିବା ବେଳେ ତାଙ୍କୁ ତାଙ୍କ ମାମୁଁ ଘରେ ରଖାଯାଇଥିଲା । ଏପଟେ ନାବାଳିକାର ଅଗୋଚରରେ ତାଙ୍କ ବିବାହ ରଣପୁର ବ୍ଲକ କନ୍ଧନୟାଗଡ଼ ଗ୍ରାମର ସତ୍ୟ ଜେନାଙ୍କ ପୁଅ ମିଟୁ ଜେନାଙ୍କ ସହ ଅନୁଷ୍ଠିତ ହେବା ପାଇଁ ପ୍ରସ୍ତୁତି ସରିଥିଲା । ଆସନ୍ତକାଲି କନ୍ଧ ନୟାଗଡ଼ ଡମଣୀ ମନ୍ଦିରରେ ଏହି ବିବାହ ଅନୁଷ୍ଠିତ ହୋଇଥାନ୍ତା । ନାବାଳିକା ଜଣଙ୍କ କାଲି ରଙ୍ଗ ଖେଳିବା ପରିବର୍ତ୍ତେ ସିଧା ବେଦୀରେ ବସି ସିନ୍ଦୁର ନାଇଥାନ୍ତେ । ଆଜି ଜିଲ୍ଲା ନାବାଳିକା ବିବାହ ନିରୋଧ ଅଧିକାରୀ, ପୁଲିସ ଓ ଚାଇଲ୍ଡ ଲାଇନ କର୍ତ୍ତୁପକ୍ଷ ନାବାଳିକାଙ୍କ ମାମୁଁ ଘରେ ପହଂଚି ତାଙ୍କୁ ଉଦ୍ଧାର କରିବା ସହ ସିଡବ୍ଲ୍ୟୁସିରେ ହାଜର କରିଛନ୍ତି । ଏହା ପରେ ନାବାଳିକାଙ୍କୁ ତପସ୍ୟା ଶିଶୁ ଗୃହରେ ରଖାଯାଇଥିବା ଜଣାଯାଇଛି । ଏହି ଚଢ଼ାଉରେ ଚାନ୍ଦପୁର ପୁଲିସ ସହ ଚାଇଲ୍ଡ ଲାଇନ କର୍ମୀ ଚନ୍ଦ୍ରଶେଖର ବେହେରା,ସୁଜାତା ବେହେରା ସାମିଲ ହୋଇଥିଲେ ।






