ପୁରୀ (ବାଘୁଆବାର୍ତ୍ତା): ଦିଆସିଲ କାଠିରେ ମହାପ୍ରଭୁଙ୍କ ଚାପ ଖେଳ ପାଇଁ ପ୍ରସ୍ତୁତ ହୋଇଛି ଚାପ । ପୁରୀ କୁମ୍ଭାରପଡା ଅଞ୍ଚଳର ଶାସ୍ୱତ ରଞ୍ଜନ ସାହୁ ଏହି ଚାପ ପ୍ରସ୍ତୁତ କରିଛନ୍ତି । ଦୀର୍ଘ ୪ ଦିନର ପରିଶ୍ରମରେ ୨୧୨୦ ଟି ଦିଆସିଲ କାଠିକୁ ନେଇ ଚନ୍ଦନ ଯାତ୍ରାରେ ବ୍ୟବହୃତ ହେଉଥିବା ନନ୍ଦା ଓ ଭଦ୍ରା ଦୁଇଟି ଚାପ ମଧ୍ୟରୁ ଧଳା ଚାପ ଯାହାର ନାମ ନନ୍ଦାର ପ୍ରତିକୃତି ନିର୍ମାଣ କରିଛନ୍ତି ଶାସ୍ୱତ । ଏହାର ଲମ୍ବ ୨୪ ଇଞ୍ଚ ଓ ପ୍ରସ୍ଥ ୧୯ ଇଞ୍ଚ ରହିଛି । ଏହାକୁ ନିର୍ମାଣ କରିବା ପାଇଁ କେବଳ ଦିଆସିଲ କାଠି ଓ ଅଠା ବ୍ୟବହାର ହୋଇଛି । ବୈଶାଖ ଶୁକ୍ଳ ତୃତୀୟା ତିଥି ଅର୍ଥାତ ପବିତ୍ର ଅକ୍ଷୟ ତୃତୀୟାଠାରୁ ଦୀର୍ଘ ୨୧ ଦିନ ବ୍ୟାପୀ ମହାପ୍ରଭୁଙ୍କର ବାହାର ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଥାଏ । ତେବେ ମହାମାରୀ କରୋନା ପାଇଁ ଆସନ୍ତାକାଲିଠାରୁ ଶ୍ରୀଜିଉଙ୍କ ବାହାର ଚନ୍ଦନ ଯାତ୍ରା କଟକଣା ମଧ୍ୟରେ ଅନୁଷ୍ଠିତ ହେବ । ଏହି କାରଣରୁ ଅନେକ ଭକ୍ତ ମହାପ୍ରଭୁଙ୍କ ଏହି ଦୁର୍ଲଭ ଯାତ୍ରା ଦେଖିବାରୁ ବଞ୍ଚିତ ହେବାକୁ ଥିବାବେଳେ ଦିଆସିଲ କାଠିରେ ନିର୍ମାଣ ହୋଇଥିବା ଏହି କଳାକୃତିଟି ଜଗନ୍ନାଥ ପ୍ରେମୀ ଓ ଭକ୍ତଙ୍କ ମନମୋହିବ ବୋଲି ଶାସ୍ୱତ କହିଛନ୍ତି ।






