Tuesday, April 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଓଡ଼ିଆ ସିନେମାର ଭାଗ୍ୟ ବଦଳିବ ନା କେବଳ ଚର୍ଚ୍ଚା

by ସଞ୍ଜୟ ସ୍ୱାଇଁ
May 24, 2025
in State
ଓଡ଼ିଆ ସିନେମାର ଭାଗ୍ୟ ବଦଳିବ ନା କେବଳ ଚର୍ଚ୍ଚା
69
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ତୁଚ୍ଛା ଆଲୋଚନା । ଉପସ୍ଥିତି ଜାହିର ପାଇଁ ଫଟୋ ଉଠା । ନେତୃତ୍ୱ ସାଜିବାକୁ ନୂଆ ସଂଘ । କଥା ନ ଶୁଣିଲେ ବୟ୍କଟ୍ । କିନ୍ତୁ ନୀତି ନାହିଁ, ଷ୍ଟୁଡିଓ ନାହିଁ, ସବ୍ସିଡି ନାହିଁ, ହଲ୍ ନାହିଁ… ଭଳି ଅନେକ ସମସ୍ୟା ଓଡ଼ିଆ ସିନେମାକୁ ନୟାନ୍ତ କରିସାରିଲାଣି । ଏହାକୁ ସମାଧାନ କରିବାର କାହାରି ସାହସ ନାହିଁ କେବଳ ପାଣି ମୁଠାଏ ସିଞ୍ଚିଲା ଭଳି ଭରସା, ପ୍ରତିଶ୍ରୁତି ଏବଂ ପିଠି ଥାପୁଡ଼ା ଆଶ୍ୱସ୍ତି । ୟା ଭିତରେ ବୟସ ୯୦ ଛୁଇଁଲାଣି । ବିକାଶ କହିଲେ, ପ୍ରଥମ ଓଡ଼ିଆ ସିନେମା ‘ସୀତା ବିବାହ’ ଭଳି ଅନେକ ସିନେମା ଆମ ପାଖରେ ନାହିଁ । ଏକମାତ୍ର ସମ୍ପତ୍ତି କଳିଙ୍ଗ ଷ୍ଟୁଡିଓ, ଯାହାର କର୍ପୂର ଉଡ଼ିଯାଇଛି, କନା ପଡ଼ିଛି । ଓଡ଼ିଆ ସିନେମାକୁ ମୁଣ୍ଡାଇ ଧରିଥିବା ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ (ଓଏଫ୍ଡିସି) ରାଜ୍ୟରେ ଅଛି ଯାହା ଅନେକଙ୍କୁ ଅଜଣା । ଆଉ ୧୦ଟା ବର୍ଷ ପରେ ଓଡ଼ିଆ ସିନେମା ୧୦୦ ବର୍ଷ ପୂର୍ତ୍ତି ପାଳିବ । ପୁଣି ସରକାର ‘ବିକଶିତ ଓଡ଼ିଶା-୨୦୩୬’ ପାଇଁ ଯୋଜନା କରୁଛନ୍ତି । ହେଲେ ଲଢ଼େଇ ଚାଲିଛି, ଶିଳ୍ପ ବିଭାଗରେ ରହିବୁ ନା ସଂସ୍କୃତିରେ । ଶିଳ୍ପ ମାନ୍ୟତା ପାଇବାର ୫୧ ବର୍ଷ ପରେ ଏ ଆଲୋଚନା, ସମାଲୋଚନା ସହ ଅନେକ ପ୍ରଶ୍ନ ଛିଡ଼ା ହୋଇଛି । ସତରେ କ’ଣ ଓଡ଼ିଆ ସିନେମାର ଭାଗ୍ୟ ବଦଳିବ ନା ଖାଲି ଚର୍ଚ୍ଚାରେ ଚର୍ଚ୍ଚାରେ ସବୁ ରହିଯିବ । ବରିଷ୍ଠ ସିନେ ସମାଲୋଚକ ଦିଲ୍ଲୀପ ହାଲି କହିଛନ୍ତି, ନୂଆ ସରକାର ଆସିବା ପରଠୁ ଅନେକ ଦଳ ମୁଖ୍ୟମନ୍ତ୍ରୀ, ଶିଳ୍ପ, ସଂସ୍କୃତି ମନ୍ତ୍ରୀଙ୍କୁ ଭେଟି ଆଲୋଚନା କଲେଣି । ୧୦ ମାସ ତଳେ ଶିଳ୍ପ ମନ୍ତ୍ରୀ କଳିଙ୍ଗ ଷ୍ଟୁଡିଓ ବୁଲିଲେ । ଚଳଚ୍ଚିତ୍ର ଜଗତ ସହ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ଭେଟି ଆଲୋଚନା କଲେ । କେତେକ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଲେ । ଆଉ କେତେକ ଅଭିନେତାରୁ ନେତା ସେମାନଙ୍କ ଭାଇମାନଙ୍କୁ ଦୁଃଖ ଜଣାଇଲେ । କଳିଙ୍ଗ ଷ୍ଟୁଡିଓରେ ଶିଳ୍ପ ବିଭାଗ-ଇଡ୍କୋ-ପ୍ରଯୋଜକଙ୍କ ବୈଠକଠୁ ନେଇ ‘ଉତ୍କର୍ଷ ଓଡ଼ିଶା’ ପର୍ଯ୍ୟନ୍ତ ଅନେକ ସ୍ୱପ୍ନ ଦେଖାଇଲେ । ଯୋଜନା ହେଲା । ହେଲେ ଶେଷରେ ହେଲା କ’ଣ? ଆଲୋଚନା ପ୍ରବଳ, କାର୍ଯ୍ୟ ଦୁର୍ବଳ । ଶ୍ରୀ ହାଲି କହିଛନ୍ତି, ସରକାରଙ୍କୁ ବର୍ଷେ ପୂରିବା ପୂର୍ବରୁ ଓଏଫ୍ଡିସି ଅଧ୍ୟକ୍ଷ ପଦବି ପୂରଣ ହେବାର ଅଛି । ତେଣୁ ତା’ ପୂର୍ବରୁ ଶକ୍ତି ପ୍ରଦର୍ଶନ କରିବାର ଅଛି । ସିନେମା, ଶିଳ୍ପରେ ରହୁ କି ସଂସ୍କୃତିରେ । କାହାର ଯାଏ ଆସେ ନାହିଁ । ସଭିଙ୍କ ନଜର, ବର୍ଷେ ହେଲା ଫାଙ୍କା ଥିବା ଓଏଫ୍ଡିସି ଅଧ୍ୟକ୍ଷଙ୍କ ଚେୟାର ଉପରେ । ଏଠି ନାଁ ନେବାକୁ ସମସ୍ତେ ହେଲେ ସିନେମା ପାଇଁ କେହି ନାହିଁ । ୨୦୨୨ ମାର୍ଚ୍ଚ ୩୧ରେ ‘ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ନୀତି-୨୦୧୯’ର ଅବଧି ସରିବା ପରଠୁ ୩ ବର୍ଷ ବିତିଯାଇଥିଲେ ବି ନୂଆ ନୀତି ପ୍ରଚଳନ ହୋଇପାରିଲାନି । ନବୀକରଣ ପାଇଁ କଳିଙ୍ଗ ଷ୍ଟୁଡିଓରେ ୨ ବର୍ଷ ହେଲା ତାଲା । ଆସନ୍ତା ବର୍ଷ ଓଏଫ୍ଡିସି ୫୦ ବର୍ଷ ପାଳିବ ଏବଂ ୧୦ ବର୍ଷ ପରେ ଓଡ଼ିଆ ସିନେମା ୧୦୦ ବର୍ଷ, ତା’ ପାଇଁ ଆମ ଯୋଜନା ନାହିଁ । ସିନେମାର ବାର୍ଷିକ ବଜେଟ୍ ୫୦ କୋଟି । ଶିଳ୍ପ ବିଭାଗ ବାର୍ଷିକ ବଜେଟ୍ ୧୫୬୭ କୋଟି ଥିବାବେଳେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ୪୮୧ କୋଟି ୮୨ ଲକ୍ଷ । ୨୦୧୫ ଜୁନ୍ରୁ ଓଡ଼ିଆ ଭାଷା ପ୍ରତିଷ୍ଠାନ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗରୁ ସଂସ୍କୃତି ବିଭାଗ ଅଧୀନକୁ ଆସିଲା । ଦୀର୍ଘ ୧୦/୧୧ ବର୍ଷ ପରେ ଆଜି ତା’ ଅବସ୍ଥା କ’ଣ? ସଂସ୍କୃତି ବିଭାଗ ଆଗ ନିଜ ସମସ୍ୟା ବୁଝ, ପରେ ସିନେମାକୁ ନିଜ ଅଧୀନକୁ ନେବ । ହଲ୍ ପ୍ରତିଷ୍ଠାଠୁ ସବ୍ସିଡି ପର୍ଯ୍ୟନ୍ତ ସବୁକିଛି ଶିଳ୍ପ ହାତରେ । ପୂର୍ବ ନୀତିରେ ଏକକୀକରଣ ବ୍ୟବସ୍ଥା ଥିଲା, ଏବେ ତ ନୀତି ହିଁ ନାହିଁ । ତେଣୁ ସିନେମାବାଲାଙ୍କ ମଗଜରେ ଏ କଥା ପଶୁନି ବୋଲି ଶ୍ରୀ ହାଲି କହିଛନ୍ତି । ଜଣେ ବିଭାଗୀୟ ଅଧିକାରୀ କହିଛନ୍ତି, ମନ୍ତ୍ରୀଙ୍କ ଆଗ୍ରହ କ୍ରମେ ସଂସ୍କୃତି ବିଭାଗ ପଦକ୍ଷେପ ନେଇ ଆଲୋଚନା ଆରମ୍ଭ କରିଛି । ଦେଖାଯାଉ କ’ଣ ହେଉଛି ।

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା

April 28, 2026
ନୟାଗଡ଼ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା ସଂକ୍ରାନ୍ତ ବୈଠକ

ନୟାଗଡ଼ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା ସଂକ୍ରାନ୍ତ ବୈଠକ

April 28, 2026
ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା:ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା:ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

April 28, 2026
ରାଜ୍ୟସ୍ତରୀୟ ଟାଇକୋଣ୍ଡରେ ପ୍ରତିଯୋଗିତା:ନୟାଗଡ ଜିଲ୍ଲାକୁ ମିଳିଲା ୨ ସ୍ବର୍ଣ୍ଣ, ୩ ରୌପ୍ୟ ଓ ୨ କାଂସ୍ୟ ପଦକ

ରାଜ୍ୟସ୍ତରୀୟ ଟାଇକୋଣ୍ଡରେ ପ୍ରତିଯୋଗିତା:ନୟାଗଡ ଜିଲ୍ଲାକୁ ମିଳିଲା ୨ ସ୍ବର୍ଣ୍ଣ, ୩ ରୌପ୍ୟ ଓ ୨ କାଂସ୍ୟ ପଦକ

April 28, 2026
ବସ୍ ଦୁର୍ଘଟଣା:୨୦ ଯାତ୍ରୀ ଆହତ, ୫ ଗୁରୁତର

ବସ୍ ଦୁର୍ଘଟଣା:୨୦ ଯାତ୍ରୀ ଆହତ, ୫ ଗୁରୁତର

April 28, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!