ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ଆଞ୍ଚଳିକ ଭାଷାରେ ଶିକ୍ଷାଦାନ କରିବାକୁ ପ୍ରାଥମିକତା ଦିଆଯିବ। ପିଲାଙ୍କ ବ୍ୟାଗ୍ ହାଲୁକା କରିବା ପାଇଁ ଅନାବଶ୍ୟକ ପାଠ୍ୟକ୍ରମକୁ ବାଦ୍ ଦିଆଯିବ। ଏହାସହ ଜାତୀୟ ସ୍ତରରେ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ସକ୍ଷମ କରିବା ପାଇଁ ଅତ୍ୟାଧୁନିକ ବିଷୟବସ୍ତୁକୁ ସାମିଲ କରାଯିବ। ଆସନ୍ତା ଶିକ୍ଷାବର୍ଷରୁ ପରିବର୍ତ୍ତିତ ପାଠ୍ୟକ୍ରମ ଲାଗୁ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ କରିଛି। ଗତ ୨୨ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ପାନ୍ଥ ନିବାସ ଠାରେ ଏନେଇ ବିଭିନ୍ନ ବିଷୟର ବିଶ୍ୱବିଦ୍ୟାଳୟ ସ୍ତରୀୟ ବିଶେଷଜ୍ଞ ମାନଙ୍କୁ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ସ୍ତରୀୟ ବିଭିନ୍ନ ପରୀକ୍ଷାରେ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଦକ୍ଷ କରିବାକୁ +୨ ସିଲାବସ ରେ ପରିବର୍ତ୍ତନ କରାଯିବ। ଇଂରାଜୀ ଭାଷାରେ ପଢ଼ାଯାଉଥିବା ବିଷୟକୁ ଓଡ଼ିଆରେ ପଢ଼ାଯିବ। ଫଳରେ ଇଂରାଜୀ ବୁଝିବାରେ ଅସୁବିଧା ଭୋଗୁଥିବା ଛାତଛାତ୍ରୀ ସହଜରେ ଅଧ୍ୟୟନ କରିପାରିବେ। ସେହିପରି ଆଉ ଅନାବଶ୍ୟକ ପାଠ ପଢ଼ାଯିବ ନାହିଁ। ଜାତୀୟ ସ୍ତରୀୟ ପ୍ରତିଯୋଗିତାମୂଳକ ଓ ପ୍ରବେଶିକା ପରୀକ୍ଷାରେ ଆସୁନଥିବା ପ୍ରଶ୍ନପତ୍ରର ବିଷୟବସ୍ତୁକୁ ବାଦ ଦିଆଯିବ। ଏହାସହ ନୂଆ ନୂଆ ବିଷୟବସ୍ତୁ ପାଠ୍ୟକ୍ରମରେ ସଂଯୋଗ କରାଯିବ। କୃତ୍ତିମ ବୁଦ୍ଧିମତା, କର୍ପୋରେଟ ପରଚାଳନା, ଓଡ଼ିଆ ଜାତୀୟତାବାଦ ପରି ରାଜନୀତି ବିଜ୍ଞାନରେ ଆସୁଥିବା ନୂଆ ନୂଆ ଧାରାକୁ ସାମିଲ କରାଯିବ। ଅନୂରୂପ ଭାବେ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ଆସିଥିବା ପରିବର୍ତ୍ତିନକୁ ପାଠ୍ୟକ୍ରମରେ ସାମିଲ କରାଯିବ। ଫଳରେ ଛାତ୍ରଛାତ୍ରୀମାନେ ସାମ୍ପ୍ରତିକ ବିଷୟରେ ଜ୍ଞାନ ଆହୋରଣ କରିପାରିବେ। ନିଜକୁ ଜାତୀୟ ସ୍ତରର ପରୀକ୍ଷା ପାଇଁ ପ୍ରସ୍ତୁତ କରିପାରିବେ। ନୂତନ ସିଲାବସ ପ୍ରସ୍ତୁତ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଶେଷଜ୍ଞ କମିଟି ଗଠନ କରାଯାଇଛି। ପ୍ରତିଟି ବିଷୟ ପାଇଁ ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ ଓ ପ୍ରାଧ୍ୟାପିକାଙ୍କୁ ନେଇ ବିଶେଷଜ୍ଞ କମିଟି ଗଠନ ହୋଇଛି। ଏଥିରେ କମିଟିରେ ଜଣେ ଅଧ୍ୟକ୍ଷ ଥିବାବେଳଏ ୫ ରୁ ୭ ଜଣ ବିଶେଷଜ୍ଞଙ୍କ କମିଟିରେ ରହିଛନ୍ତି। କମିଟି ପରିବର୍ତ୍ତିତ ସିଲାବସକୁ ପରିଷଦ ନିକଟରେ ଦାଖଲ କରିସାରିଥିବା ବିଶ୍ୱସ୍ଥ ସୂତ୍ରରୁ ଜଣା ପଡିଛି। ସରକାରଙ୍କ ଅନୁମୋଦନ ପରେ ଏହା ନୂତନ ପାଠ୍ୟକ୍ରମ ଭାବେ କାର୍ଯ୍ୟକାରୀ ହେବ।





