ବାରଙ୍ଗ, (ବାଘୁଆବାର୍ତ୍ତା): ଭଦ୍ର କଥା କହି ଡେମୋ ଦେଖାଇଲେ । ପିତ୍ତଳ ସଫା କରି ଲୁଟି ନେଲେ ସୁନା ଅଳଙ୍କାର । ଏନେଇ ଥାନାରେ ଅଭିଯୋଗ କଲେ ମହିଳା । ଚନ୍ଦ୍ରଶେଖରପୁର ଥାନା ପୋଲିସର ତଦନ୍ତ ଆରମ୍ଭ । ପିତ୍ତଳ ଜିନିଷ ସଫା କରିବାକୁ ଡେମୋ ଦେଖାଇ ନେଇଗଲେ ସୁନା ଅଳଙ୍କାର। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏପରି ଚାଞ୍ଚଲ୍ୟ କଲା ପରି ଘଟଣା ଘଟିଛି ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶୈଳଶ୍ରୀ ବିହାର ଏଲସି କଲୋନୀରେ । ଲୁଟେରା ମାନେ ନିଜକୁ ପତଞ୍ଜଳି କମ୍ପାନୀର କର୍ମଚାରୀ ପରିଚୟ ଦେବା ସହ କଥା ଜାଲରେ ଫସାଇ ପ୍ରଥମେ ପିତ୍ତଳ ବାସନକୁସନ ଏବଂ ପରେ ରୂପା-ସୁନା ଅଳଙ୍କାର ମାଗିଲେ।
ତେବେ କିଛି ସମୟ ସଫା କରି କାଗଜରେ ଗୁଡ଼ାଇ ମହିଳାଙ୍କୁ ଦେଇଥିଲେ। କିନ୍ତୁ କାଗଜ ଖୋଲିବା ବେଳକୁ ସେଥିରେ ସୁନା ବଦଳରେ ପିତ୍ତଳ ଓ ରୂପା ଲକେଟ୍ ଥିଲା। ଘର ଭିତରୁ ଆସିବା ବେଳକୁ ଦୁଇ ଦୁର୍ବୃତ୍ତ ମାତ୍ର କୋଡ଼ିଏ ସେକେଣ୍ଡରେ କୁଆଡେ ଉଭାନ୍ ହୋଇଯାଇଥିଲେ। ଚାରିଆଡେ ଖୋଜିବା ପରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଦିନ ଦ୍ୱିପହର ଏବଂ ଜନଗହଳି ଅଞ୍ଚଳରେ ଏପରି ଅଭିନବ ଉପାୟରେ ଲୁଟ୍ ସ୍ଥାନୀୟରେ ଚର୍ଚ୍ଚାର ବିଷୟ ପାଲଟିଛି।





