ଭୁବନେଶ୍ୱର, (ବାଘୁଆବାର୍ତ୍ତା): ବିଶ୍ଵାସଘାତକ ସାଜିଲା ବନ୍ଧୁ। ସାଙ୍ଗ ହୋଇ ସାଙ୍ଗ ଠାରୁ ଠକି ନେଲେ ୧୬ ଲକ୍ଷ। ସାହାଯ୍ୟ କରିବାକୁ କହି ନେଇଗଲେ ଟଙ୍କା ଆଉ ଫେରାଇବାର ନାଁ ଧରିଲେ ନାହିଁ। ଅଭିଯୋଗ ପରେ ଚନ୍ଦ୍ରଶେଖରପୁର ପୋଲିସ ଦୁଇ ଠକ ଦୀପ୍ତି ରଞ୍ଜନ ଏବଂ ତୃପ୍ତି ରଞ୍ଜନ ଗିରଫ ହେବା ସହ ତାଙ୍କ ଠାରୁ ଦାମୀ ମୋବାଇଲ୍ ଏବଂ କାର ଜବତ କରାଯାଇଛି। ପୁଲିସ୍ ମାମଲରେ ଉଭୟଙ୍କୁ କୋର୍ଟ ଚାଲାଣ କରିଛି। ସୁଚନା ଅନୁସାରେ ଆଭାସ କୁମାର ସାମଲ, ଦୀପ୍ତି ରଞ୍ଜନ ଏବଂ ତୃପ୍ତି ରଞ୍ଜନ ବିଟେକ୍ ପଢ଼ିବା ସମୟରୁ କଲେଜ୍ ସାଙ୍ଗ ଥିଲେ। ବନ୍ଧୁତା ସହ ପାରିବାରିକ ଘନିଷ୍ଠତା ବଢିଥିଲା। ଯାହା ଫଳରେ ଆଭାସଙ୍କର ବିଶ୍ୱାସ ଆସିଯାଇଥିଲା ଦୀପ୍ତି ଏବଂ ତୃପ୍ତି ଉପରେ। ଆଉ ଏହି ଭରସାର ଫାଇଦା ଉଠାଇ ୨୦୨୧ରୁ ୨୦୨୩ ମଧ୍ୟରେ ସାହାଯ୍ୟ କରିବାକୁ କହି ନେଇଯାଇଥିଲେ ୧୬ ଲକ୍ଷ୍ୟ ଟଙ୍କା। ଦୀପ୍ତି ଏବଂ ତୃପ୍ତି ଓକାକ୍ ଟାୱାର ଆଇଜେଣ୍ଟେକ୍ ନାମରେ କମ୍ପାନୀ ଖୋଲି ମ୍ୟାନେଜିଂ ଡାଇରେକ୍ଟର ବୋଲାଉଥିବା ବେଳେ ଆଭାସ ସାମଲ ଟିସିଏସ୍ କମ୍ପାନୀରେ ଚାକିରି କରିଛନ୍ତି। ସେପଟେ ଘଟଣାର ତଦନ୍ତ କରି ଦୁଇ ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଥିବା ବେଳେ ଆଉ ଦୁଇଜଣ ଫେରାର ଥିବା ଜଣା ପଡିଛି। ବିଭିନ୍ନ ସମୟରେ ସାହାଯ୍ୟ ପାଇଁ ଆଭସଙ୍କ ଠାରୁ ଅନଲାଇନ୍ ଟ୍ରାଞ୍ଜାକ୍ସନ୍ ମାଧ୍ୟମରେ ଟଙ୍କା ନେଇଥିବା ବେଳେ ତାଙ୍କ ଡକ୍ୟୁମେଣ୍ଟ ଦେଇ ଏକ କାର୍ ମଧ୍ୟ କିଣିଥିଲେ ଯାହାର ଇନଷ୍ଟଲମେଣ୍ଟ ୩ ମାସ ହେବ ସୁଝି ନାହାଁନ୍ତି। ପୋଲିସ ଦୁଇ ଠକ ସାଙ୍ଗକୁ ଗିରଫ କରି ତଦନ୍ତ ଚଳାଇଛି।





