ଚାନ୍ଦପୁର, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅଞ୍ଚଳରେ ଅଘଟଣ । ସକାଳୁ ସକାଳୁ ଜଣେ ମହିଳା ଫୁଲ ତୋଳୁଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କ ବେକରୁ ମଙ୍ଗଳସୁତ୍ର ଲୁଟି ନେଲେ । ସୁଚନାନୁସାରେ ସୁନ୍ଦରପୁର ଗ୍ରାମର ସଞ୍ଜୟ ପରିଡ଼ାଙ୍କ ପତ୍ନୀ ପ୍ରତୀମା ପରିଡ଼ା ଚାନ୍ଦପୁର ସ୍ମଶାନ ପଛପଟ ଗୋପବନ୍ଧୁ ନଗରରେ ଦୀର୍ଘ ତିନି ବର୍ଷ ଧରି ଭଡା ଘରେ ରହୁଥିଲେ । ଆଜି ସକାଳୁ ସେ ଗେଟ ଖୋଲି ଫୁଲ ତୋଳୁଥିବା ବେଳେ ଜଣେ ଦୁର୍ବୃତ୍ତ ତାଙ୍କ ବେକରୁ ମଙ୍ଗଳସୁତ୍ର ଲୁଟି ନେଇଥିଲା । ଉକ୍ତ ବ୍ୟକ୍ତି ଜଣଙ୍କ ନାଲି ଗଞ୍ଜି ଓ ବ୍ଲୁ କଲର ହାଫ ପ୍ୟାଣ୍ଟ ପିନ୍ଧିଥିଲେ । ମହିଳା ଜଣଙ୍କ ଅନ୍ଧାର ଥିବାରୁ ଯୁବକ ଜଣଙ୍କୁ ଚିହ୍ନିପାରି ନଥିଲେ । ଉକ୍ତ ଦୁର୍ବୃତ୍ତକୁ ପ୍ରତୀମା ମଧୁସୁଦନ ସାହି ଚୁଡ଼ି ମହଲ ପର୍ଯ୍ୟନ୍ତ ଗୋଡାଇ ଆସିଥିଲେ । ସେଠାରେ ଆଉ ଦୁର୍ବୃତ୍ତକୁ ପାଇଲେ ନାହିଁ । ମହିଳା ଜଣଙ୍କ ଘରକୁ ଫେରି ଚାନ୍ଦପୁର ଥାନାର ଦ୍ୱାରସ୍ଥ ହୋଇଛନ୍ତି ।