ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଚାନ୍ଦପୁର ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟରେ ଗତ କାଲି ରାତି ୧୨.୩୦ ବେଳେ ଘଟିଛି ଅଘଟଣ । କିଛି ଯୁବକ ପ୍ରଚୁର ମଦ୍ୟ ପାନ କରି ସ୍ୱାସ୍ଥ୍ୟ ନିବାସରେ ଗଣ୍ଡଗୋଳ କରିଛନ୍ତି । ଏ ଘଟଣାକୁ ନେଇ ଚିକିତ୍ସାଳୟର ମେଡିକାଲ ଅଫିସର ଓ ନର୍ସିଂ ଅଫିସର ଚାନ୍ଦପୁର ଥାନାରେ ମାମଲା ଦାୟର କରିଛନ୍ତି । ସୁଚନାନୁସାରେ ଗତ କାଲି ବିଳମ୍ବିତ ରାତିରେ ମୟୁରଝାଲିଆ ଗ୍ରାମର ଜୟକୃଷ୍ଣ ପ୍ରଧାନଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ସେଥି ନିମନ୍ତେ ସେ ଚିକିତ୍ସାଳୟକୁ ଆସିଥିଲେ । ହଠାତ ଏହି ସମୟରେ ଉକ୍ତ ଗ୍ରାମର ଗୌତମ ପ୍ରଧାନ ଓ ରଜତ ଦାସ ଅଶ୍ଳିଳ ଭାଷାରେ ଡାକ୍ତର ଓ ସମସ୍ତ କର୍ମଚାରୀଙ୍କୁ ଗାଳି ଗୁଲଜ କରିଥିଲେ । ଡ୍ରେସିଙ୍ଗ ରୁମରେ ବ୍ୟବହୃତ ସାମଗ୍ରୀ ଗୁଡିକୁ ଫିଙ୍ଗା ଫୋପଡା କରିଥିଲେ । ମହିଳା କର୍ମଚାରୀ ମାନେ ଭୟଭୀତ ହୋଇ ବାହାରକୁ ପଳାଇ ଆସିଥିଲେ । ଏହି ସମୟରେ ଅନ୍ୟ ରୋଗୀ ଓ ସମ୍ପର୍କିୟ ମାନେ ଭୟଭୀତ ହୋଇ ରହିଥିଲେ । ମହିଳା କର୍ମଚାରୀ ମାନଙ୍କ ମାସ୍କ ଖୋଲିବା ପାଇଁ ବାଧ୍ୟ କରିଥିଲେ । ପୁଲିସକୁ ଜଣାଇଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ । ଏହି ଘଟଣାକୁ ନେଇ ଆଜି ମେଡିକାଲ ଅଫିସର ଓ ଅନ୍ୟ କର୍ମଚାରୀ ମାନେ ଚାନ୍ଦପୁର ଥାନାରେ ମାମଲା ଦାୟର କରିଛନ୍ତି । ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି ।





