ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଚାନ୍ଦପୁର କୋଭିଡ୍ ହେଲ୍ଥ ସେଣ୍ଟର ପରିସରରେ ଆଜି ରଣପୁର ନିର୍ବାଚନ ମଣ୍ଡଳୀର ସଚେତନ ଜନତା ଏବଂ ଜନପ୍ରତିନିଧିମାନେ ଧାରଣା ଦେଇଛନ୍ତି । ଚାନ୍ଦପୁର ବସନ୍ତ ମଂଜରୀ ଚିକିତ୍ସାଳୟ ବର୍ହି ବିଭାଗରେ ୨୪ ଘଣ୍ଟିଆ ରୋଗୀ ସେବା ପାଇଁ ଏହି ଧାରଣା ଦିଆଯାଇଥିବା ଜଣାଯାଇଛି । ସୂଚନାନୁସାରେ, ଚାନ୍ଦପୁର ବସନ୍ତ ମଂଜରୀ ଟିବି ଚିକିତ୍ସାଳୟକୁ କରୋନା ରୋଗୀଙ୍କ ଚିକିତ୍ସା ନିମନ୍ତେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଜିଲ୍ଲା ପ୍ରଶାସନ କୋଭିଡ୍ ହେଲ୍ଥ ସେଣ୍ଟରରେ ପରିଣତ କରିଛି । ଯାହାକୁ ନେଇ ଚାନ୍ଦପୁର ଅଂଚଳର ସାଧାରଣ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଥିବ ଅଭିଯୋଗ ହୋଇଛି । ଦୈାନିକ ଏଠାରେ ଶହ ଶହ ରୋଗୀ ଚିକିତ୍ସିତ ହେଉଥିଲେ । ବର୍ତ୍ତମାନ ପରିସ୍ଥିତିରେ ରୋଗୀମାନେ ସ୍ୱାସ୍ଥ୍ୟସେବାରୁ ବଂଚିତ ହେବାର ଅଭିଯୋଗ କରିଛନ୍ତି । ଯାହାକୁ ନେଇ ଏଠାରେ ଟିବି, ଶିଶୁ ରୋଗ, ନିଦାନ, ପ୍ରସୁତି ଓ ଭେଷଜ ବିଶେଷଜ୍ଞଙ୍କ ନିଯୁକ୍ତି ପାଇଁ ଦାବି କରାଯାଇଛି । ଏଥିସହିତ ଜରୁରୀ ଅସ୍ତ୍ରୋପ୍ରଚାର ଗୃହ, ପ୍ରସୁତି ଗୃହ, କାର୍ଯ୍ୟକ୍ଷକ କରିବା ପାଇଁ ଦାବି ରଖାଯାଇଛି । ବିଗତ ୪ମାସ ଧରି ଏହି ଅଂଚଳର ଜନସାଧାରଣ ସ୍ୱାସ୍ଥ୍ୟ ସେବା ଉପରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇ ଆଜି ଧାରଣା ଦେଇଥିବା ଜଣାପଡ଼ିଛି । ଏଥିସହିତ କୋଭିଡ୍ ପରିଚାଳନା ପାଇଁ ସମ୍ ହସ୍ପିଟାଲ ସହ କୈାଣସି ଚୁକ୍ତି ନକରିବା ପାଇଁ ଦାବି କରାଯାଇ ଧାରଣା ଦିଆଯାଇଥିବା ବେଳେ ଜିଲ୍ଲା ପ୍ରଶାସନ ସେଠାରେ ପହଂଚି ଧାରଣରତ ଲୋକଙ୍କୁ ବୁଝାଶୁଝା କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଛି । ଅନ୍ୟପକ୍ଷେ, ଏ ସଂମ୍ପର୍କରେ ଏକ ଦାବିପତ୍ର ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବଙ୍କ, ସ୍ଥାନୀୟ ବିଧାୟକ, ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।





