ନୟାଗଡ଼,(ବାଘୁଆବାର୍ତ୍ତା): ରାଜ୍ୟ ସରକାରଙ୍କ ଲୋକପ୍ରିୟତାକୁ ହ୍ରାସ କରିବାକୁ କେନ୍ଦ୍ର ସରକାର ସଦାସର୍ବଦା ଚେଷ୍ଟା କରି ଆସୁଛନ୍ତି । ଆଜି ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି । ସମୀକ୍ଷା ବୈଠକ ନାଁରେ କେନ୍ଦ୍ର ସରକାରଙ୍କ ଆତ୍ମ ପ୍ରଚାର କରାଯାଇଥିବା ବେଳେ ଏହା ଦଳୀୟ କାର୍ଯ୍ୟକ୍ରମରେ ପରିଣତ ହୋଇଛି । କେନ୍ଦ୍ର ରେଳ ଓ ବୟନଶିଳ୍ପ ରାଷ୍ଟ୍ର ମନ୍ତ୍ରୀ ଦର୍ଶନା ଜାରଦୋଶ୍ ଆଜି ନୟାଗଡ଼ ଜିଲ୍ଲା ଗ୍ରସ୍ତରେ ଆସି ପ୍ରଥମେ ଗୋଦାବରୀ କଲ୍ୟାଣ ମଣ୍ଡପଠାରେ ଦଳୀୟ ବୈଠକରେ ଯୋଗ ଦେଇଛନ୍ତି । ସେଠାରେ ନୟାଗଡ଼ର ଦୁଇ ବିଜେପି ଗୋଷ୍ଠୀଙ୍କୁ ନେଇ ଦଳୀୟ ସମୀକ୍ଷା କରିବା ସହ ଆଲୋଚନା କରିଛନ୍ତି । ରୁଦ୍ଧଦ୍ୱାର ବୈଠକ ଶେଷ କରିବା ପରେ କେନ୍ଦ୍ରମନ୍ତ୍ରୀ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମୀକ୍ଷା ବୈଠକରେ ଯୋଗ ଦେଇଛନ୍ତି । ଏହି ବୈଠକରେ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ, ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ ସୁବାଷ ଚନ୍ଦ୍ର ରାୟ ଏବଂ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ରହିଥିବା ଦେଖାଯାଇଛି । ଏହି ବୈଠକରେ ସରକାରୀ ଅଧିକାରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ସହ ବିଜେପି ନେତୃବୃନ୍ଦ ଯୋଗ ଦେବାକୁ ନେଇ ନୟାଗଡ଼ ଜିଲ୍ଲାରେ ଆଲୋଡ଼ନ ସ୍ଥିତି ସୃଷ୍ଟି ହୋଇଛି । ଉକ୍ତ ବୈଠକରେ ବିଜେପି ରାଷ୍ଟ୍ରିୟ ପ୍ରବକ୍ତା ସମ୍ବିତ ପାତ୍ର, ବିଜେପି ନେତ୍ରୀ ଇରାନୀ ରାୟ, ପ୍ରତ୍ୟୁଷା ରାଜେଶ୍ୱରୀ ସିଂ, ସୁରମା ପାଢ଼ୀ ପ୍ରମୂଖଙ୍କ ଉପସ୍ଥିତି ସରକାରୀ ସମୀକ୍ଷା ବୈଠକକୁ ଦଳୀୟ କାର୍ଯ୍ୟକ୍ରମରେ ପରିଣତ କରିଛି । ଏଠାରେ କେନ୍ଦ୍ର ସରକାରଙ୍କ ଯୋଜନାର ସମୀକ୍ଷା ଆଳରେ କେନ୍ଦ୍ର ସରକାରଙ୍କ ପାଇଁ ଆତ୍ମପ୍ରଚାର କରାଯାଉଥିଲା ବୋଲି ମତ ପ୍ରକାଶ ପାଇଛି । ଉକ୍ତ ବୈଠକକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ବାରଣ କରାଯାଇଥିବା ବେଳେ ଦଳୀୟ ନେତାଙ୍କୁ କିଭଳି ସୁଯୋଗ ଦିଆଗଲା ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ନୟାଗଡ଼ ଜିଲ୍ଲାପାଳ ଏବଂ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଏହାର ଜବାବ ରଖନ୍ତୁ ବୋଲି ମତ ପ୍ରକାଶ ପାଇଛି ।






