ନୟାଗଡ଼, (ବାଘୁଆବାର୍ତ୍ତା) : ରାଜ୍ୟ ସରକାର ଜିଲ୍ଲାରୁ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ଆଜି ସୂଚନା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ନୟାଗଡ଼ ପୈାରଞ୍ଚଳର କରୋନା ଚିକିତ୍ସାଧିନ ଅବସ୍ଥାରେ ମୃତ ଔଷଧ ଦୋକାନୀଙ୍କ ପରିବାରରୁ ୩ ଜଣ ଏବଂ ତାଙ୍କ ସଂସ୍ପର୍ଶରେ ଆସିଥିବା ନୟାଗଡ଼ ସହର ୨ନଂ ୱାର୍ଡ଼ ଡିଆନ୍ବନ୍ଧ ସାହିର ଅନ୍ୟ ଜଣେ ବ୍ୟକ୍ତି ବୋଲି ଜଣାଯାଇଛି । ଏତଦ୍ବ୍ୟତିତ ପଂଚମ ଆକ୍ରାନ୍ତ ଓଡ଼ଗାଁ ବ୍ଲକ ପଂଚରିଡ଼ା ପଂଚାୟତ ମାନପୁର ଗ୍ରାମରେ । ସେ ଭାରତୀୟ ନୈାସେନାରେ କାର୍ଯ୍ୟ କରୁଥିବା ବେଳେ କିଛିଦିନ ତଳେ ଘରକୁ ଫେରି ଗୃହ ସଂଗରୋଧରେ ରହିଥିଲେ । ଅନ୍ୟପକ୍ଷେ, ଆଜି ଜିଲ୍ଲାପାଳ ଡ. ପୋମା ଟୁଡୁ କରୋନା ଭୟବହତା ବଢ଼ୁଥିବା ନେଇ ଜନସଚେତନା ଉଦ୍ଦେଶ୍ୟରେ ଏକ ସମ୍ବାଦିକ ସମ୍ମିଳନୀରେ, କଟକଣା ନମାନିଲେ କ୍ଷତି ହେବ ବୋଲି ଚେତେଇ ଦେଇଛନ୍ତି । ଜିଲ୍ଲାରେ କରୋନା ଯେଉଁ ଭଳି ଭାବେ ବ୍ୟାପକ ହେଉଛି ସମସ୍ତ ଜନସାଧାରଣ ମାସ୍କ ବ୍ୟବହାର କରିବା ଏବଂ ସାମାଜିକ ଦୂରତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି । ଜିଲ୍ଲାରୁ ମୋଟ ୧୬୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୩୫ ସୁସ୍ଥ ହୋଇ ସାରିଛନ୍ତି । ପୂର୍ବରୁ ୧୩୩ ଜଣ ସୁସ୍ଥ ହୋଇଥିବା ବେଳେ ଆଜି ୨ ଜଣ ସୁସ୍ଥ ହୋଇଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି । ଆଜିର ସାମ୍ବାଦିକ ସମ୍ମିଳନୀରେ କୋଭିଡ୍ ନୋଡାଲ୍ ଅଧିକାରୀ ଧନରାଜ୍ ଏଚ୍.ଡି, ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଲଗ୍ନଜିତ ରାଉତ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ରଂଜିତା ବିଶ୍ୱାଳ, ସୂଚନା ଓ ଲୋକ ସଂମ୍ପର୍କ ଅଧିକାରୀ ଡ. ପ୍ରମୋଦ କୁମାର ନାୟକ ଉପସ୍ଥିତ ରହିଥିଲେ ।





