ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ କରୋନା ସ୍ଥିତି ଜଟିଳ ହେବାକୁ ବସିଛି । ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ସହ ଜିଲ୍ଲାର ଆଜି ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସରକାର ସୂଚନା ପ୍ରଦାନ କରିଛନ୍ତି । ଜିଲ୍ଲାରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ଡେଇଁଛି । ଏହି ସକ୍ରିୟ ଆକ୍ରାନ୍ତମାନଙ୍କ ମଧ୍ୟରୁ ମାତ୍ର କିଛି ପ୍ରତିଶତ ରୋଗୀ ଚିକିତ୍ସା ପାଇଁ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ବହୁ ରୋଗୀ ଗୃହ ସଂଗରୋଧରେ ରହିଥିବା ଜଣାଯାଇଛି । ଅଧିକାଂଶ ରୋଗୀ ଜ୍ୱର ଓ ଅନ୍ୟାନ ରୋଗରେ କୁହୁକୁଥିବା ବେଳେ ପ୍ରଶାସନ ପକ୍ଷରୁ କେବଳ କରୋନା କିଟ୍ ଦିଆଯାଇ କାମ ତୁଟାଇ ଦିଆଯାଇଛି । ଗୃହ ସଂଗରୋଧରେ ରହୁଥିବା ରୋଗୀଙ୍କୁ ଆବଶ୍ୟକୀୟ ଚିକିତ୍ସା ସୁବିଧା ମିଳୁନଥିବା ବେଳେ ଦ୍ୱିତୀୟ ଲହର କରୋନା ପରିସ୍ଥିତିକୁ ଭୟାବହ କରିବାର ଆଶଙ୍କା ସୃଷ୍ଟି କରୁଛି । ସବୁଠାରୁ ବିସ୍ମୟକର କଥା ହେଇଛି, କରୋନା ଆକ୍ରାନ୍ତ ଚିହ୍ନଟ ରୋଗୀ କେବଳ କାଗଜପତ୍ରରେ ସଂଗରୋଧରେ ରହୁଥିବା ବେଳେ ବାସ୍ତବରେ ଖୁଲମ ଖୋଲା ବାହାରେ ବୁଲୁଥିବା ଦେଖା ଯାଉଛି । ଗତବର୍ଷ କରୋନା ଆକ୍ରାନ୍ତ ଚିହ୍ନଟ ପରେ କୋଭିଡ କେୟାରକୁ ନିଆ ଯାଉଥିବା ବେଳେ ଚଳିତ ବର୍ଷ ଆକ୍ରାନ୍ତଙ୍କ ଗୃହ ସଂଗରୋଧରେ ରଖା ଯାଉଛି । ଯାହାକି ଜିଲ୍ଲାରେ ସଂକ୍ରମଣ ବଢ଼ିବା ଦିଗରେ ମୁଖ୍ୟ ଭୂମିକା ପାଲଟିଛି । ସଂକ୍ରମିତ ଲୋକେ ଖୁଲମ ଖୋଲା ସହର ବଜାର ବୁଲୁଥିବା ସ୍ଥାନୀୟ ଜୈନିକ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି ।





