ସରପଂଚ କଲେ ଶପଥ ପାଠ
ନୟାଗଡ଼, (ବାଘୁଆବାର୍ତ୍ତା) : ମୁଖ୍ୟମନ୍ତ୍ରୀ ନବନ ପଟ୍ଟନାୟକ ଆଜି ରାଜ୍ୟର ସମସ୍ତ ପଂଚାୟତ ସରପଂଚଙ୍କ ସହ ଭିଡିଓ କନଫରେସିଂ ଜରିଆରେ ଆଲୋଚନା କରିବା ସହ ଶପଥ ପାଠ କରାଇଛନ୍ତି । ଏହି ପ୍ରରିପ୍ରେକ୍ଷିରେ ନୟାଗଡ଼ ଜିଲ୍ଲାର ସମସ୍ତ ବ୍ଲକରୁ ଭିସି ମାଧ୍ୟମରେ ସରପଂଚମାନେ ଶପଥ ପାଠ କରିଛନ୍ତି । ମୁଁ ଶପଥ କରି କହୁଅଛି ଯେ, ପଂଚାୟତରେ କରୋନାକୁ ରୋକିବା ପାଇଁ, ମୋତେ ଦିଆଯାଇଥିବା ଦାୟିତ୍ୱ, ଲୋକଙ୍କ ପାଇଁ ନିଷ୍ଠାର ସହ ପାଳନ କରିବି । ଅନ୍ୟ ରାଜ୍ୟରୁ, ଗାଁକୁ ଆସୁଥିବା ଲୋକମାନଙ୍କୁ କ୍ୱାରେଣ୍ଟାଇନରେ ରଖିବି । ସେମାନଙ୍କ ରହିବା, ଖାଇବା ଓ ଚିକିତ୍ସାର, ଉଚିତ ବ୍ୟବସ୍ଥା କରିବି । କରୋନା ରୋକିବା ପାଇଁ, ସରକାରଙ୍କ ସବୁ ପଦକ୍ଷେପକୁ, ମୋ ପଂଚାୟତର ଭାଇଭଉଣୀ ମାନଙ୍କ ମଙ୍ଗଳ ପାଇଁ, କଡ଼ାକଡ଼ି ଭାବରେ ପାଳନ କରିବି । ମୋ ପଂଚାୟତରେ, କରୋନାକୁ ପଶିବାକୁ ଦେବି ନାହିଁ ବୋଲି ଆଜି ସରପଂଚମାନେ ଶପଥ ଗ୍ରହଣ କରିଛନ୍ତି । ଏହି ଅବସରରେ ଆଜି ନୟାଗଡ଼ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ ଦଶପଲ୍ଲା ବ୍ଲକରେ ଅନୁଷ୍ଠିତ ଭିସିରେ ଯୋଗ ଦେବା ସହ ଦଶପଲ୍ଲା ଏନ୍ଏସିର ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏନ୍ଏସି ପକ୍ଷରୁ ଦିଆଯାଉଥିବା ରନ୍ଧା ଖାଦ୍ୟ ବଣ୍ଟନ ବୁଲି ଦେଖିବା ସହ କରୋନା ମୁକାବିଲା ନିମନ୍ତେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଉପସ୍ଥିତ ରହିଥିଲେ ।






