ନୟାଗଡ଼, (ବାଘୁଆବାର୍ତ୍ତା): ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ମହାମାରୀ ଦ୍ୱାରା ଆଜି ରାଜ୍ୟରେ ୩୩୭୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରେ ନୟାଗଡ଼ ଜିଲ୍ଲାରୁ ୧୭୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି । ଜିଲ୍ଲାରେ ପୂର୍ବରୁ ଚିହ୍ନଟ ହୋଇଥିବା ୨୩୯୦ ଆକ୍ରାନ୍ତ ସହ ଆଜିର ଆକ୍ରାନ୍ତକୁ ମିଶାଇ ମୋଟ ସଂଖ୍ୟା ୨୫୬୧ ବୋଲି ଜଣାଯାଇଛି । ଫଳରେ ଅଗଷ୍ଟ ୨୬ ଦିନରେ ଜିଲ୍ଲାରେ ୧୯୩୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ପଷ୍ଟ ହୋଇଛି । ଜିଲ୍ଲାରେ ଜୁଲାଇ ୩୧ ତାରିଖ ସୁଦ୍ଧା ଆକ୍ରାନ୍ତ ସଂଖ୍ୟା ୬୨୮ ରହିଥିଲା । ଅନ୍ୟପକ୍ଷେ, ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ଯେଉଁ ପରିମାଣରେ ବୃଦ୍ଧି ପାଉଛି, ସେହି ତୁଳନାରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ରାଜ୍ୟ ସରକାରଙ୍କ ସୂଚନା ମୁତାବକ, ୨୬ ତାରିଖ ସଂନ୍ଧ୍ୟା ୬ ଘଟିକା ସୁଦ୍ଧା ନୟାଗଡ଼ ଜିଲ୍ଲାର କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୬୪୨ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି । ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୧୪ ବୋଲି ଜଣାପଡ଼ିଥିବା ବେଳେ ରାଜ୍ୟ ସରକାରଙ୍କ ୱେବ୍ ସାଇଟରେ ଏହା ୧୨ ବୋଲି ଜଣାଯାଇଛି । ସେହିଭଳି ଭାବେ କରୋନା ଆକ୍ରାନ୍ତ ହୋଇ ଅନ୍ୟ ରୋଗରେ ପୂର୍ବରୁ ୨ ଜଣଙ୍କ ମୃତ୍ୟୁ ଘଟିଛି ।






