ଖଣ୍ଡପଡ଼ା,(ବାଘୁଆବାର୍ତ୍ତା): ଖଣ୍ଡପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଶୁ ଚିକିତ୍ସା ନିମନ୍ତେ ଭର୍ତ୍ତୀ ହୋଇଥିବା ଜଣେ ପଂଚାନନ ବାରିକଙ୍କର ଆଜି ମୃତ୍ୟୁ ହୋଇଛି । ତାଙ୍କର ଘର ଖଣ୍ଡପଡା ସହର ୬ନଂ ୱାର୍ଡ ଅଧିନ ବଜାର ସାହିରେ ବୋଲି ଜଣାପଡିଛି । ଗତ ୭ଦିନ ଧରି ସେ ଅସୁସ୍ଥ ଥିଲେ ଏବଂ କରୋନା ଆକ୍ରାନ୍ତ ବୋଲି ଜଣାଯାଇଛି । ଯାହାକୁ ନେଇ ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସଟଡାଉନ ଘୋଷଣା କରାଯାଇଥିବା ଏବଂ ଶନିବାର ବିଶୋଧନ କରାଯିବ ବୋଲି ଜଣାଯାଇଛି । ସେହିଭଳି ଭାବେ ମହାମାରୀ କରୋନା ଭୂତାଣୁ ସଂକ୍ରମଣ ଦ୍ୱାରା ଆକ୍ରାନ୍ତ ହୋଇ ଅକାଳରେ ମୃତ୍ୟୁବରଣ କରିଛନ୍ତି ଖଣ୍ଡପଡା ବ୍ରାହ୍ମଣ ସାହିର ଲକ୍ଷ୍ମୀଧର ଆଚାର୍ଯ୍ୟ(୬୫) । ରାଜ୍ୟ ସମବାୟ ବ୍ୟାଙ୍କର ସାଧାରଣ ପରିଚାଳକ ଭାବେ ସୁଚାର ରୁପେ ଦାୟିତ୍ୱ ତୁଲାଇ ସ୍ୱର୍ଗତ ଆଚାର୍ଯ୍ୟ ଅବସର ଗ୍ରହଣ କରିଥିଲେ । ଗତ କିଛି ଦିନଧରି କରୋନା ରୋଗରେ ପୀଡିତ ହୋଇ ସେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ । ସେଠାରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାରବର୍ଗଙ୍କ ସୁତ୍ରରୁ ଜଣାଯାଇଛି । ସ୍ୱର୍ଗତ ଆଚାର୍ଯ୍ୟ ଜଣେ ମେଳାପି ଓ ପରୋପକାରୀ ବ୍ୟକ୍ତି ଥିଲେ । ତାଙ୍କ ବିୟୋଗରେ ଖଣ୍ଡପଡ଼ା ଅଂଚଳରେ ଶୋକର ଛାୟା ଖେଳିଯାଇଛି ।






