ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ସହରରେ ଆଜି ଏକ ଭୟାବହ ଏବଂ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ନୟାଗଡ଼ ସହର ନୀଳାଦ୍ରୀବିହାର ସ୍ଥିତ ସଂଜୟ ଖଟୁଆଙ୍କ ବାପା ଦଣ୍ଡପାଣି ଖଟୁଆ କିଛି ଦିନ ତଳେ କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିଥିଲା । ତାଙ୍କୁ ସ୍ୱାସ୍ଥ୍ୟ ବିଭାଗ ଟିମ୍ ଡାକ୍ତରଖାନା ନେବାକୁ ଯାଇଥିବା ବେଳେ ସେ ଗୃହ ସଂଗରୋଧରେ ରହିବାକୁ କହି ଡାକ୍ତରଖାନା ଯିବାକୁ ମନା କରି ଦେଇଥିଲେ । ପରିବାର ପକ୍ଷରୁ ମଧ୍ୟ ତାଙ୍କୁ ଅଲଗା ରଖାଯିବା ନେଇ ସ୍ୱାସ୍ଥ୍ୟ ବିଭାଗକୁ କୁହା ଯାଇଥିଲା । ଫଳରେ ସ୍ୱାସ୍ଥ୍ୟ ବିଭାଗ ଟିମ୍ ଫେରି ଆସିଥିବା ବେଳେ ଆଜି ହଠାତ୍ ଦଣ୍ଡପାଣି ଖଟୁଆଙ୍କ ଦେହ ଭୀଷଣ ଖରାପ ହୋଇ ଯାଇଥିଲା । ଏନେଇ ପରିବାର ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗ ଟିମ୍କୁ ଖବର ଦିଆଯିବାର ନିୟମ ଥିବା ବେଳେ ଖଟୁଆଙ୍କ ପରିବାର ନିୟମ ଭାଙ୍ଗି ଗୁରୁତର ଅବସ୍ଥାରେ ତାଙ୍କୁ ନୟାଗଡ଼ ସହରରୁ ଖଣ୍ଡପଡ଼ା ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କର ମୃତ୍ୟୁ ଘୋଷଣା କରିବା ପରେ ଶବକୁ ପରିବାର ଲୋକେ ତାଙ୍କର ପୈାତ୍ରୁକ ଗ୍ରାମ ଖଣ୍ଡପଡ଼ା ବ୍ଲକ ବରକୋଳିପାଟଣାକୁ ନେଇ ଯାଇଥିଲେ । ଏନେଇ କୈାଣସି ସୁତ୍ରରୁ ଖବରାପାଇ ନୟାଗଡ଼ ପୈାର ପରିଷଦ ନିର୍ବାହୀ ଅଧିକାରୀ, ନୟାଗଡ଼ ଟାଉନଥାନା ପୁଲିସ, ସ୍ୱାସ୍ଥ୍ୟ ବିଭାଗ ଟିମ୍ ନୀଳାଦ୍ରୀ ବିହାର ଘରେ ପହଂଚିବା ବେଳକୁ ଘଟଣା ଉପରୁ ପରଦା ହଟିଥିବା ଜଣାଯାଇଛି । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଖଣ୍ଡପଡ଼ା ପୁଲିସକୁ ଖବର ଦିଆଯିବା ପରେ ଖଣ୍ଡପଡ଼ା ପୁଲିସ ବରକୋଳିପାଟଣାରେ ପହଂଚିଥିବା ବେଳେ ସେଠାରେ ଶବ ସତ୍କାର ଚାଲିଥିବା ସୂଚନା ମିଳିଛି । ଏହି ଘଟଣାରେ ଗୃହ ସଂଗରୋଧ ନିୟମ ଉଲଂଘନ ହୋଇଥିବାରୁ ତାଙ୍କ ପରିବାର ନାମରେ ଥାନାରେ ଏତଲା ଦାୟାର କରାଯିବ ବୋଲି ପୈାର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା ସୂଚନା ଦେଇଛନ୍ତି ।






