ପୁଣି ଜଣଙ୍କ କରୋନା ମୃତ୍ୟୁ
ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ କରୋନା ଭୟାବହ ପରିସ୍ଥିତି ସୃଷ୍ଟି କରିଛି । ଜିଲ୍ଲାରେ ଆଜି ନୂଆ ୧୬୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାରେ ସକ୍ରିୟ ମାମଲା ୨୪୫୧ ବୋଲି ଜଣାଯାଇଛି । ଜିଲ୍ଲାରେ ଆଜି ପୁଣି ଏକ କରୋନା ମୃତ୍ୟୁ ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଜଣେ ୭୦ ବର୍ଷିୟ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଜିଲ୍ଲାରେ କରୋନା ମହାମାରୀରେ ୫୩ ଜଣଙ୍କ କରୋନା ମୃତ୍ୟୁ ହୋଇଥିବା ବେଳେ ୨ ଜଣ କରୋନା ଆକ୍ରାନ୍ତ ହୋଇ ଅନ୍ୟ ରୋଗରେ ମୃତ୍ୟୁ ବରଣ କରିଥିବା ଜଣାଯାଇଛି । ଦ୍ୱିତୀୟ ଲହର କରୋନା ସମୟରେ ବହୁ ବ୍ୟକ୍ତିଙ୍କ ମୃତ୍ୟୁ ଘଟୁଥିବା ସୂଚନା ମିଳିଛି । ନୟାଗଡ଼ ଜିଲ୍ଲାରେ କରୋନା ସଂକ୍ରମଣ ହ୍ରାସ ଘଟୁଥିବା ବେଳେ ଅମାନିଆଙ୍କ ସଂଖ୍ୟା ବୃଦ୍ଧି ପାଉଛି । ନୟାଗଡ଼ ସହରରେ କଟକଣାକୁ ଅମାନ୍ୟ କରି ବିଭିନ୍ନ ଦୋକାନ ସଟର ପକାଇ ସଟର ତଳେ କାରବାର ଚାଲୁଥିବା ଦେଖାଯାଉଛି । ଆଗକୁ ରଜ ଏବଂ ସାବିତ୍ରୀ ଥିବା ବେଳେ ଏହି ଲୁଚାଛପା କାରବାର ସଂକ୍ରମଣ ବୃଦ୍ଧି କରିବାର ଆଶଙ୍କା ସୃଷ୍ଟି କରିଛି । ସହରରେ ଅନେକ ଲୁଗା ଦୋକାନ, ଷ୍ଟେସନାରୀ, ଚୁଡ଼ି ବ୍ୟବସାୟୀ ରଜ ଏବଂ ସାବିତ୍ରୀକୁ ଲକ୍ଷ ରଖି ଦୋକାନ ଖୋଲୁଥିବା ଜଣାଯାଇଛି । ଗତ ସପ୍ତାହ ସାରା ଏଭଳି ଘଟଣା ସହରରେ ଦେଖା ଯାଇଛି । ଆଜି ସହରରେ ସାଂଘାତିକ ଗହଳୀ ସୃଷ୍ଟି ହୋଇଥିବା ଦେଖା ଯାଇଛି । କେବଳ ନୟାଗଡ଼ ପୈାରାଞ୍ଚଳ ନୁହେଁ, ଗ୍ରାମଞ୍ଚାଳରେ ମଧ୍ୟ ଏହି ପରିସ୍ଥିତି ଦେଖିବାକୁ ମିଳିଛି । ପୂଜା ପାଇଁ ଅନେକ ସ୍ଥାନରେ ଲୁଚାଛପା କାରବାର ଚାଲିଛି । ଏହାକୁ ରୋକା ନଗଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଆଲୋଚନା ହେଉଛି । ଜିଲ୍ଲାରେ ସଂକ୍ରମଣ ଗତ ସପ୍ତାହରେ ହ୍ରାସ ଘଟିଛି । ଗତ ୧ ତାରିଖରେ ଜିଲ୍ଲାରୁ ୨୮୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨ ତାରିଖରେ ୨୨୩, ୩ ତାରିଖରେ ୨୪୬, ୪ ତାରିଖରେ ୨୧୯, ୫ ତାରିଖରେ ୨୪୩, ୬ ତାରିଖରେ ୧୯୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଏହା ହ୍ରାସ ଘଟି ୧୬୧ରେ ପହଞ୍ଚିଛି ।





