କେନ୍ଦୁଝର ସଦର, (ବାଘୁଆବାର୍ତ୍ତା): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥ ବାଙ୍କମାରୁଣୀ ଛକ ଠାରେ ବୁଧବାର ରାତି ୨.୩୦ ସମୟରେ ଏକ ବାର ଚକିଆ ହାଇବା ଟ୍ରକ ସର୍ଟସର୍କିଟ ଯୋଗୁଁ ସମ୍ପୂର୍ଣ୍ଣ ପୋଡି ଯାଇଛି । ଗତକାଲି ସନ୍ଧ୍ୟାରେ ଓଡି,୦୯-ଆର-୧୩୬୫ନମ୍ବର ବିଶିଷ୍ଠ ବାରଚକିଆ ହାଇବାଟି ଅଁରାଘାଟରୁ ଆଇରନ ଲୋଡିଙ୍ଗ ହୋଇ ହଳଦିଆଗୁଣା ଏମ, ଏସ, ପି କାରଖାନାକୁ ଆସୁଥିଲା। ଆସିବା ରାସ୍ତାରେ ବିଭିନ୍ନ ସ୍ଥାନରେ ଜାମ ଯୋଗୁଁ ଗାଡିଟି ସଠିକ ସମୟରେ ପହଁଚି ପାରିନଥିଲା । ବାଙ୍କମାରୁଣୀ ଛକ ନିକଟରେ ରାସ୍ତା କଡରେ ଗାଡି ରଖି ରାତି ଦୁଇଟାରେ ହେଲ୍ପର ସୋଇଥିଲା। ହଟାତ ଗାଡିଟି ସର୍ଟସର୍କିଟ ହୋଇ ପୋଡିଯାଇଥିଲା । ନିକଟରେ ଏକ ଟାୟାର ଦୋକାନୀ ଟାୟାର ଫାଟିବାର ଶବ୍ଦ ଶୁଣି ଉଠି ଦେଖିଲା ବେଳକୁ ଗାଡିଟି ହୁତୁ ହୁତୁ ହୋଇ ଜଳୁଛି। ସେ ସଂଗେ ସଂଗେ ବାଙ୍କମାରୁଣୀ ଗ୍ରାମର ଲୋକଙ୍କୁ ଫୋନ କରି ଜଣାଇଲେ ସେଠିକାର ଲୋକମାନେ ଆସି ନିକଟସ୍ଥ ଏମଏସପି କାରଖାନାର ଦମକଳ ଡାକି ନିଆଁକୁ ଆୟତ୍ତ କରିଥିଲେ । ସେତେବେଳକୁ ଗାଡିରେ ଶୋଇଥିବା ହେଲ୍ପର ଅର୍ଦ୍ଧଦଗ୍ଧ ଅବସ୍ଥାରେ ଚିତ୍କାର କରୁଥିଲା। କାରଖାନାର ଆମ୍ବୁଲାନ୍ସ ଦ୍ୱାରା ତାଙ୍କୁ ପ୍ରଥମେ କେନ୍ଦୁଝର ମୁଖ୍ୟ ଡାକ୍ତରଖାନା ନିଆଯାଇଥିଲା । ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଡାକ୍ତର କଟକ ବଡ ଡାକ୍ତରଖାନାକୁ ପଠା ଯାଇଛି । ଗୁରୁତର ବ୍ୟକ୍ତି ଜଣ ସାହରପଡା ଅଞ୍ଚଳର ସୁଦର୍ଶନ ମାଟିଆ ବୋଲି ଜଣାପଡିଛି। ଆଜି ସକାଳେ ଖବର ପାଇ ପଳାଶପଙ୍ଗା ବିଟ ହାଉସ ଅଧିକାରୀ ଭଳେଶ୍ୱର ନାଏକ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରି କହିଛନ୍ତି ଯେ ଏହା ଗାଡିଟିର ସର୍ଟସର୍କିଟ ପାଇଁ ଏପରି ଘଟଣା ଘଟିଛି ।






