ରାୟଗଡ଼ା, (ବାଘୁଆବାର୍ତ୍ତା): ରାତି ଅଧରେ ଫାଇନାନ୍ସ ସଂସ୍ଥା ଅଫିସରେ ଲଙ୍କାକାଣ୍ଡ । କର୍ମଚାରୀଙ୍କୁ ବାହାରୁ କବାଟଦେଇ ଜାଳି ଦେଲେ ୧୨ଟି ବାଇକ୍। ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍ ଟିକିରିରେ ଥିବା ଫାଇଲାନ୍ସ କମ୍ପାନୀରେ। ଏନେଇ ଥାନାରେ ଟିକିରି ଥାନାରେ ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ବେଳେ ସ୍ପନ୍ଦନା ଫାଇନାନ୍ସ ଓ ଫ୍ୟୁଜନ ଫାଇନାନ୍ସ କମ୍ପାନୀ ଅଫିସ ସାମନାରେ ଥିବା ୧୨ଟି ବାଇକରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ । କର୍ମଚାରୀମାନେ ଶୋଇଥିବା ବେଳେ ବାହାର ପଟୁ ଅଫିସ କବାଟ ବନ୍ଦ କରି ନିଆଁ ଲଗାଇଦେଲେ । ଅଳ୍ପକେ ବର୍ତ୍ତି ଯାଇଥିଲେ ୫ ଜଣ କର୍ମଚାରୀ। ପରେ କର୍ମଚାରୀମାନେ ବାଇକରେ ଲାଗିଥିବା ନିଆଁକୁ ଲିଭାଇବାକୁ ଅଫିସ ବାହାରକୁ ଆସିବାକୁ ଚେଷ୍ଟା କରିଥିଲେ। ହେଲେ ଦୁର୍ବୃତ୍ତମାନେ ବାହାର ପଟୁ କବାଟ ବନ୍ଦ କରି ଦେଇଥିଲେ। ସ୍ଥାନୀୟ ଲୋକେ ଆସି ନିଆଁକୁ ଆୟତ୍ତ କରିଥିଲେ। ତେବେ କିଏ ଓ କାହିଁକି ଏଭଳି ଲଙ୍କାକାଣ୍ଡ କଲା ? ଫାଇନାନ୍ସ ସଂସ୍ଥା ସହ ଶତ୍ରୁତା ଥିଲା କି ? ନା କୌଣସି କର୍ମଚାରୀଙ୍କ ସହ ଆକ୍ରୋଶରୁ କେହି ବାଇକରେ ନିଆଁ ଲଗାଇଦେଲେ ? ଘଟଣାସ୍ଥଳରେ ଟିକିରି ପୋଲିସ ପହଞ୍ଚି ତଦନ୍ତ କରୁଛି ।





