ନୟାଗଡ଼଼, (ବାଘୁଆବାର୍ତ୍ତା) : କେବେ ମିଳିବ ପରିବେଶ ମଞ୍ଜୁରୀ? କେବେ ସାକାର ହେବ ଜିଲ୍ଲାବାସୀଙ୍କ ସ୍ୱପ୍ନ? କେବେଠାରୁ ଆରମ୍ଭ ହେବ ନୟାଗଡ଼ ଜିଲ୍ଲାର ସର୍ବ ବୃହତ୍ ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ? ଏହି ଯୋଜନା ସତେକି କାର୍ଯ୍ୟକାରୀ ହେବ, ନା ଫାଇଲ୍ ଭିତରେ ଏମିତି ଚାପି ହୋଇରହିବ? ପୂର୍ବରୁ ରୁଦ୍ର ବାବୁଙ୍କ ଭଳି ଟାଣୁଆ ନେତା ଏଥିପାଇଁ ବହୁ ବାର ରାଜନୈତିକ ମୃଦଙ୍ଗ ବଜାଇ ଥିବା ବେଳେ ମଧ୍ୟ ଏଥିରେ ଶତ ପ୍ରତିଶତ ସଫଳତା ହାସଲ କରିନଥିବା ବୃତ୍ତଙ୍ଗର କାର୍ଯ୍ୟକାରିତାରୁ ସ୍ପଷ୍ଟ ହେଉଛି । ତଥାପି ଏବେ ପୁଣିଥରେ ବୃତ୍ତଙ୍ଗକୁ କାର୍ଯ୍ୟକାରୀ କରିବାକୁ ଏକାଠି ହୋଇଛନ୍ତି କିଛି ନେତୃବୃନ୍ଦ । ନୟାଗଡ଼ ଜିଲ୍ଲାର ୮ଟି ବ୍ଲକରୁ ଆସିଥିବା ସଦସ୍ୟମାନଙ୍କୁ ନେଇ ସ୍ଥାନୀୟ ଡାକବଙ୍ଗଳା ପରିସରରେ ବୃତ୍ତଙ୍ଗ ନଦୀବନ୍ଧ ଯୋଜନା ତଥା ଜଳସେଚନ ପ୍ରକଳ୍ପର କାର୍ଯ୍ୟକାରିତା ସଂମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଇନଜୀବୀ ମନୋଜ କୁମାର ସାହୁଙ୍କ ଆହ୍ୱାନ କ୍ରମେ ଆୟୋଜିତ ଏହି ବୈଠକରେ ଉପସ୍ଥିତ ସଦସ୍ୟମାନେ ବୃତ୍ତଙ୍ଗ ପ୍ରକଳ୍ପର କାର୍ଯ୍ୟକାରିତା ସମ୍ବନ୍ଧରେ ନିଜ ନିଜର ମତାମାତ ରଖିଥିଲେ । କୃଷି ଓ କୃଷକର ଉନ୍ନତୀ ସାଧନ ନିମନ୍ତେ ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ ଏକମାତ୍ର ବିକଳ୍ପ ଏବଂ ଏହି ଯୋଜନା କାର୍ଯକାରୀ ହେଲେ କୃଷି କାର୍ଯ୍ୟ ତ୍ୱରାନ୍ୱିତ ହେବା ସହିତ କୃଷକମାନଙ୍କର ଜୀବନ ଜୀବିକା ନିର୍ଦ୍ଧାରଣର ମାନବୃଦ୍ଧି ସମ୍ଭବ ହୋଇପାରିବ ବୋଲି ଉପସ୍ଥିତ ସଦସ୍ୟମାନେ ଉପଲବ୍ଧି କରିଥିଲେ । ସଦସ୍ୟମାନଙ୍କ ପ୍ରସ୍ତବ କ୍ରମେ ନୟାଗଡ଼ ଜିଲ୍ଲା ସ୍ତରୀୟ ଏକ କମିଟି ଗଠନ କରାଯାଇ ତନ୍ମଧ୍ୟରୁ ୧୨ ଜଣଙ୍କୁ ନେଇ ଏକ କ୍ରିୟାନୁଷ୍ଠାନ କମିଟି ଚୟନ କରାଯାଇଛି । ତତ୍ସହିତ ଆଗାମୀ କାର୍ଯ୍ୟପନ୍ଥା ନିମନ୍ତେ ଦିନ ସ୍ଥିର କରାଯାଇ ତାହା ଦଶପଲ୍ଲାଠାରେ ଅନୁଷ୍ଠିତ ହେବାକୁ କମିଟି ତରଫରୁ ଜଣାଯାଇଛି । ଏହି କମିଟିରେ ସଭାପତି ଋପେ ମନୋଜ କୁମାର ସାହୁ, ଉପସଭାପତି ଋପେ ବିନୋଦିନୀ ମହାନ୍ତ, ସଂପାଦକ ବେଣୁଧର ନାୟକ, ସହ ସଂପାଦକ ଲକ୍ଷ୍ମଧର ରାଉତରାୟ, କୋଷାଧ୍ୟକ୍ଷ ବସନ୍ତ କୁମାର କର ଚୟନ ହେବା ସହିତ ଉପଦେଷ୍ଟା ଋପେ ଉମେଶ ଚନ୍ଦ୍ର ପଟ୍ଟନାୟକ, ନାରାୟଣ ସାହୁ, ହରିଶ ଚନ୍ଦ୍ର ବେହେରା, ସତ୍ୟବ୍ରତ ନାୟକ, ବାଙ୍କ ବିହାରୀ ଧଳ, ନିଳାଦ୍ରୀ ମହାନ୍ତି ପ୍ରମୂଖ ମନୋନୀତ ହୋଇଥିଲେ ।





