ଜଳେଶ୍ୱର, (ବାଘୁଆବାର୍ତ୍ତା): ଜଳେଶ୍ୱରରୁ ବ୍ରାଉନସୁଗାର ନେଇ ଶୁକ୍ରବାର ଜଣେ ଯୁବକ ଆମ୍ବୁଳିଅଠା-ସୋଲପଟା ରାସ୍ତାରେ ପଶ୍ଚିମବଙ୍ଗକୁ ଯାଉଥିଲା । ଏତିକିବେଳେ ଜଳେଶ୍ୱର ପୁଲିସ ହାତରେ ସେ ଧରାପଡିଥିଲା । ସଂପୃକ୍ତ ଯୁବକର ଘର ପଶ୍ଚିମବଙ୍ଗ ବୋଲି ଜଣାପଡ଼ିଛି । ତା ନିକଟରୁ ୨୦ ଗ୍ରାମର ବ୍ରାଉନସୁଗର ସହିତ ମୋଟର ସାଇକେଲ ଜବତ କରାଯାଇଥିଲା । ଜବତ ବ୍ରାଉନସୁଗରର ମୂଲ୍ୟ ପ୍ରାୟ ୪ଲକ୍ଷ ଟଙ୍କା ହେବ । ଏନେଇ ପୁଲିସ ମାମଲା ରୁଜୁ କରି ଅଧିକ ତଦନ୍ତ ଚାଲୁରଖିଛି । ସେହିପରି ଜଳେଶ୍ୱର ଆଇଆଇସି ପର୍ଶୁରାମ ସାହୁ ସଦଳବଳ ପୁରୁଣା ବ୍ରାଉନସୁଗର ବ୍ୟବସାୟୀ ରାଜପୁର ଗ୍ରାମର ସେକ୍ ସମୁ ଓ ଝାଡେଶ୍ୱରପୁର ଗ୍ରାମର ସେକ୍ ଲାଲବାବୁ ଘରେ ଚଢଉ କରିଥିଲେ । କିନ୍ତୁ ସଫଳତା ପାଇ ନ ଥିବା ବେଳେ କେତେକ ପୁରୁଣା ମୋବାଇଲ ଜବତ କରିଥିବା ଜଣାଯାଇଛି । ସେହିପରି ଜଳେଶ୍ୱର-ପଶ୍ଚିମବଙ୍ଗ ରାସ୍ତାର ସତ୍ସଙ୍ଗ ବିହାର ନିକଟରୁ ପୁଲିସ ଜଣେ ଯୁବକକୁ ଧରିବା ସହିତ ତା ନିକଟରୁ ୧୭ ଗ୍ରାମର ବ୍ରାଉନସୁଗର ଜବତ କରିଥିଲା ।





