ଅନୁଗୁଳ, (ବାଘୁଆବାର୍ତ୍ତା): ଅନୁଗୁଳ ଜିଲ୍ଲା ବିକ୍ରମପୁର ଥାନା ଇଲାକା ମୁଣ୍ଡାସାହି ଛକ ନିକଟରୁ ୧୪୨ଗ୍ରାମର ବ୍ରାଉନସୁଗର ଜବତ। ଚୋରା କାରବାରରେ ଲିପ୍ତ ଥିବା ଜଣେ ମହିଳା ଓ ତାଙ୍କ ସହଯୋଗୀଙ୍କୁ ଗିରଫ କଲା ଅବକାରୀ ବିଭାଗ। ସୂଚନାନୁଯାୟୀ, ଗିରଫ ହୋଇଥିବା ମହିଳା ଜଣଙ୍କ ହେଲେ ନାଲକୋ ଥାନା ଅଞ୍ଚଳର ଝିଲି ସାହୁ। ସେ ଦୀର୍ଘଦିନ ହେଲା ବ୍ରାଉନସୁଗର ବେପାର ଚଳାଇଥିଲେ। ଏମିତିକି ତାଙ୍କ ପରିବାରର କିଛି ସଦସ୍ୟ ବ୍ରାଉନସୁଗର କାରବାରରେ ବନ୍ଧା ହୋଇଛନ୍ତି। କିଛିଦିନ ହେଲା ଅବକାରୀ ବିଭାଗ ଝିଲିଙ୍କ ଉପରେ ନଜର ରଖିଥିଲା। ସେ ଆଜି ସକାଳୁ ବ୍ରାଉନସୁଗର ଧରି ଆସୁଥିବା ନେଇ ଅବକାରୀ ବିଭାଗକୁ ଖବର ମିଳିଥିଲା। ଝିଲି ଓ ତାଙ୍କ ସହଯୋଗୀ ସ୍କୁଟିରେ ଆସୁଥିବା ବେଳେ ଅବକାରୀ ଟିମ୍ ମୁଣ୍ଡାସାହି ଛକ ନିକଟରେ ତାଙ୍କୁ କାବୁ କରିଥିଲା। ତାଙ୍କ ନିକଟରୁ ୧୪୨ ଗ୍ରାମର ବ୍ରାଉନସୁଗର ଜବତ ହୋଇଛି। ଜବତ ବ୍ରାଉନସୁଗର ମୂଲ୍ୟ ୧୪ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି । ତାଳଚେର ଅବକାରୀ ଇନ୍ସପେକ୍ଟର ଅନିତା ଓଝା ଏହି ଚଢ଼ାଉରେ ସାମିଲ ଥିବା ଜଣାପଡ଼ିଛି।





