ଉତ୍ତରପ୍ରଦେଶ, (ବାଘୁଆବାର୍ତ୍ତା): ମହାମାରୀ କରୋନା ଯୋଗୁଁ କେବଳ ଲକ୍ଷ ଲକ୍ଷ ଘର ନଷ୍ଟ ହୋଇଯାଇନାହିଁ ବରଂ ଅନେକ ଲୋକଙ୍କୁ ରାଜ ରାସ୍ତାକୁ ଟାଣିଆଣିଛି । କେବଳ ଏତିକି ନୁହେଁ, କରୋନା ଯୋଗୁଁ ବାପା-ମାଆଙ୍କୁ ହରାଇ ଅନେକ ପିଲା ଅନାଥ ହୋଇଯାଇଛନ୍ତି । ଠିକ୍ ସେମିତି ଉତ୍ତରପ୍ରଦେଶର ବାସିନ୍ଦା ମାହିଙ୍କ ସହ ଏହିପରି କିଛି ଘଟଣା ଘଟିଛି। ଉତ୍ତରପ୍ରଦେଶ ଖରନୀ ବାଗ ଅଞ୍ଚଳର ସଦର ବଜାରରେ ରହୁଥିବା ୪୫ ବର୍ଷୀୟ ପ୍ରଦୀପ କୁମାର ମହାମାରୀ କରୋନାରେ ପୀଡିତ ଥିଲେ, ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ବିୟୋଗ ପରେ ପରିବାରର ଦାୟିତ୍ୱ ଷଷ୍ଠ ଶ୍ରେଣୀରେ ପଢୁଥିବା ୧୦ ବର୍ଷର ଝିଅ ମାହିଙ୍କ କାନ୍ଧରେ ପଡିଛି। ମାହିଙ୍କ ବାପା ସାର୍ଟ ତିଆରି କରି ଦୋକାନୀମାନଙ୍କୁ ବିକ୍ରି କରୁଥିଲେ, ଏବେ ମାହି ରାସ୍ତା କଡ଼ରେ ତାଙ୍କ ବାପାଙ୍କ ଦ୍ୱାରା ପ୍ରସ୍ତୁତ ସାର୍ଟ ବିକ୍ରି କରି ରୋଜଗାର କରୁଛନ୍ତି । କାରିଗରମାନେ ଘରେ ସ୍ଥାପିତ ୪ ଟି ସିଲେଇ ମେସିନରେ କାମ କରୁଥିଲେ, କିନ୍ତୁ ପ୍ରଦୀପଙ୍କ ମୃତ୍ୟୁ ପରେ ସେମାନେ ମଧ୍ୟ ଆସିବା ବନ୍ଦ କରିଦେଇଛନ୍ତି । ମାହି କହିଛନ୍ତି ଯେ ତାଙ୍କ ବାପାଙ୍କ ମୃତ୍ୟୁ ପରେ ଘରେ ଖାଇବାକୁ ଦାନା ମଧ୍ୟ ନଥିଲା ଏବଂ ତାଙ୍କର ୭୦ ବର୍ଷ ବୟସ୍କ ଜେଜେ ମଧ୍ୟ ଅସୁସ୍ଥ ଅଛନ୍ତି। ଘରେ ଜଣେ ବୃଦ୍ଧ ଜେଜେମା ଏବଂ ମା ଅଛନ୍ତି, ତେଣୁ ସେ ନିଜେ ରାସ୍ତାରେ ତାଙ୍କ ବାପାଙ୍କ ଦ୍ୱାରା ପ୍ରସ୍ତୁତ ସାର୍ଟ ବିକ୍ରି କରିବା ଆରମ୍ଭ କରିଛନ୍ତି । ମାହିଙ୍କ ବିଷୟରେ ସୂଚନା ପାଇବା ପରେ ଜିଲ୍ଲାପାଳ ଇନ୍ଦର କୁମାର ସିଂ ୧୮ ବର୍ଷ ବୟସ ପର୍ୟ୍ୟନ୍ତ ଝିଅକୁ ରାଜ୍ୟ ସରକାର ମାସକୁ ୪ ହଜାର ଟଙ୍କା ଦେବାକୁ ନିଷ୍ପତ୍ତି ନେଇଛନ୍ତି, ଏହି ରାଶି ତାଙ୍କ ମାଙ୍କୁ ଦିଆଯିବ । ତତ୍ ସହିତ ସେମାନଙ୍କ ବିଦ୍ୟୁତ୍ ବିଲ୍ ମଧ୍ୟ ଛାଡ କରିଦିଆଯାଇଛି ।





