ବଲାଙ୍ଗିର, (ବାଘୁଆବାର୍ତ୍ତା): ହିରୋ ଡିଲକ୍ସ ବାଇକ ନୁହେଁ ବୁଲେଟ୍ ଚଢ଼ିବ ବର । ସ୍ତ୍ରୀକୁ ଯୌତୁକରେ ଦାମିକିଆ ଗାଡ଼ି ଦାବି କରୁଛି ସ୍ବାମୀ । ଏନେଇ ସ୍ବାମୀ ଓ ଶ୍ବଶୁର ଘର ଲୋକଙ୍କ ବିରୋଧରେ ନିର୍ୟାତନା ଅଭିଯୋଗ ଆଣିଛନ୍ତି ନବବଧୂ । ଏଭଳି ଘଟଣା ସାମ୍ନାକୁ ଆସିଛି ବଲାଙ୍ଗିର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବ୍ରାହ୍ମଣୀଡୁଙ୍ଗୁରି ଗାଁରୁ । ୩ବର୍ଷ ତଳେ ବିନୋଦିନୀ ପାଟଣାଗଡ଼ ଥାନା ଟିକପାଲି ଗାଁର ଗରିବ ନାଏକଙ୍କ ପୁଅ ଆକାଶ ନାଏକଙ୍କୁ ବିବାହ କରିଥିଲେ । ରୀତିନୀତିରେ ତାଙ୍କର ବାହାଘର ହୋଇଥିଲା । ବିନୋଦିନୀଙ୍କ ବାପା ଅତି ଗରିବ ଶ୍ରେଣୀର ହୋଇଥିବାରୁ ନିଜ ସାମର୍ଥ୍ୟ ଅନୁଯାୟୀ ଯୌତୁକ ଦେଇଥିଲେ । ଗରିବ ନାୟକ ଜ୍ବାଇଁକୁ ଏକ “ଏଚଏଫ୍ ଡିଲକ୍ସ” ଗାଡ଼ି ଦେଇଥିଲେ । ଏହା ବରର ପସନ୍ଦ ନଥିଲା। ବୁଲେଟ୍ ଆଣିବା ପାଇଁ ସ୍ତ୍ରୀକୁ ଉପରେ ଚାପ ପକାଉଥିଲେ ଏବଂ ଅଧିକ ଯୌତୁକ ପାଇଁ ବିନୋଦିନୀଙ୍କୁ ଶାରିରୀକ ଓ ମାନସିକ ନିର୍ୟାତନା ଦେଇଥିବା ଅଭିଯୋଗ ହୋଇଛି । ଫଳରେ ବିବାହର ପ୍ରଥମ ବର୍ଷରେ ବିନୋଦିନୀ ନିର୍ୟାତନା ସହିନପାରି ବାପା ଘରକୁ ଚାଲିଆସିଥିଲେ । ଏହାରି ମଧ୍ୟରେ ଆକାଶ ଆଉ ଜଣେ ଝିଅକୁ ବିବାହ କରିବାକୁ ଯୋଜନା କରୁଛନ୍ତି । ଏନେଇ ଜାଣିବା ପରେ ବିନୋଦିନୀ ବଲାଙ୍ଗିର ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସ୍ୱାମୀଙ୍କୁ କଠୋର ଦଣ୍ଡ ଦେବାକୁ ଝିଅ ପରିବାର ଲୋକ ଦାବି କରିଛନ୍ତି ।





