ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ ଏ ସି ଜୀବନ ଧାରା ସେବା ଟ୍ରଷ୍ଟ ଆନୁକୂଲ୍ୟରେ ପ୍ରଥମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଗ୍ରୀଷ୍ମ କାଳୀନ ରକ୍ତଦାନ ଶିବିର ସ୍ଥାନୀୟ ରାମ ସାଗର କଲ୍ୟାଣୀ ମଣ୍ଡପ ଠାରେ ରବିବାର ଦିନ ଅନୁଷ୍ଠିତ ହୋଇଥିଲା | ଟ୍ରଷ୍ଟ ସ୍ଥାପନଠାରୁ ଏକ ବର୍ଷ ଧରି ନିରବଛିନ୍ନ ଭାବେ ଅବିଭକ୍ତ ପୁରୀ, ଗଞ୍ଜାମ, ନୟାଗଡ଼ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରେ ରୋଗୀ ମାନଙ୍କୁ ଆବଶ୍ୟକ ସମୟରେ ନିୟମିତ ଭାବେ ଜରୁରୀ ସମୟରେ ରକ୍ତଦାନ କରି ଆସୁଅଛି| ନୟାଗଡ଼ ଜିଲ୍ଲାରେ ଅନ୍ୟୁନ ୮୦୦ ରୁ ଅଧିକ ଥାଲସେମିଆ ଏବଂ ସିକେଲସେଲ ରୋଗୀ ନିୟମିତ ରକ୍ତ ଗ୍ରହଣ କରୁଥିବା ବେଳେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେତୁ ରକ୍ତ ସଂଗ୍ରହ ପ୍ରକ୍ରିୟାରେ ବାଧା ଉପୁଜିଥିଲା| ଖବର ପାଇ ପାଗର ପ୍ରତିକୂଳ ପରିସ୍ଥିତି ସତ୍ୱେ ଜୀବନ ଧାରା ସେବା ଟ୍ରଷ୍ଟର ସମସ୍ତ କାର୍ଯ୍ୟକର୍ତ୍ତା,ସଭ୍ୟ ଏବଂ ବ୍ଲଡ଼ ବ୍ୟାଙ୍କର ମିଳିତ ଉଦ୍ୟମରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ୪୭ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା | ଓଡଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ନୀଳାଞ୍ଜନ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ବ୍ଲଡ଼ ବ୍ୟାଙ୍କର ସମସ୍ତ ଟିମ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ | କାର୍ଯ୍ୟକ୍ରମର ପ୍ରାରମ୍ଭରେ ପହଲଗାମ ରେ ଶହୀଦ ହୋଇଥିବା ପର୍ୟ୍ୟଟକଙ୍କ ଆତ୍ମାର ସଦଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା| ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ସାମ୍ୱାଦିକ ସଂଘ ସଭାପତି ଅଶୋକ କୁମାର ମହାପାତ୍ର, ବରିଷ୍ଠ ସାମ୍ୱାଦିକ ସାରସ ମିଶ୍ର, ଗଣେଶ୍ୱର ସାହୁ, ଫକୀର ମହାରଣା, ସମାଜସେବୀ ବିଭୁ ପ୍ରସାଦ ସାହୁ କାର୍ଯ୍ୟକ୍ରମରେ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ| ଟ୍ରଷ୍ଟର ମୁଖ୍ୟ ସୁଶାନ୍ତ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲା ବେଳେ ଚନ୍ଦନ ପାତ୍ର,ମଣ୍ଟି, ଗୁଡୁ, ତପନ, ସୌରଭ, ସୌମ୍ୟ, ସୁକାନ୍ତ, ସୁନିଲ, ଗଜେନ୍ଦ୍ର, ଶ୍ରୀକାନ୍ତ, ଜିତୁ ସହଯୋଗ କରିଥିଲେ|





