ନୂଆଦିଲ୍ଲୀ,(ବାଘୁଆବାର୍ତ୍ତା): ଦେଶ ଗୁରୁତର କୋଇଲା ଓ ବିଜୁଳି ସଙ୍କଟ ଦେଇ ଗତି କରୁଥିବା ବେଳେ ସ୍ଥିତି ଉପରେ ନିୟନ୍ତ୍ରଣ ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍ଓ)କୁ ହସ୍ତକ୍ଷେପ କରିବାକୁ ପଡ଼ିଛି। ପାୱାର ପ୍ଲାଣ୍ଟ୍ରେ ବ୍ୟବହାର ହେଉଥିବା କୋଇଲାରେ ଆମଦାନି ହୋଇ ଆସିଥିବା ୧୦% କୋଇଲା ମିଶାଇବାକୁ କଂପାନିଗୁଡ଼ିକୁ ସରକାର ଅନୁମତି ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସ୍ଥିତି ଉପରେ ନଜର ରଖିଛି। କୋଇଲା ମନ୍ତ୍ରୀ ମଧ୍ୟ ସ୍ଥିତିର ସମୀକ୍ଷା କରୁଛନ୍ତି। କୋଇଲା ସଙ୍କଟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗମ୍ଭୀରତାର ସହ ନେଇଛନ୍ତି। ଏହାର ଦୀର୍ଘସ୍ଥାୟ ସମାଧାନ ଲାଗି ଖୁବ୍ଶୀଘ୍ର କିଛି ବଳିଷ୍ଠ ପଦକ୍ଷେପ ଗ୍ରହଣ କରାଯିବାର ସମ୍ଭାବନା ରହିଛି। ଶକ୍ତି କ୍ଷେତ୍ରରେ ଘରୋଇ ସରକାରୀ ସହଭାଗିତା ବଢ଼ାଇବା ଓ କୋଇଲା ଯୋଗାଣରେ ଉନ୍ନତି ଆଣିବା ଲାଗି ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି। ଆଜି କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି ଯେ ୨୨ ଦିନର ଆବଶ୍ୟକତା ପୂରଣ ହେବା ଭଳି କୋଇଲା ଦେଶରେ ରହିଛି। କୋଇଲା ଯୋଗାଣରେ ପ୍ରତିଦିନ ଉନ୍ନତି ହେଉଛି। ଆବଶ୍ୟକତା ଅନୁସାରେ କୋଇଲା ଯୋଗାଇ ଦିଆଯିବ ବୋଲି ସେ ଦେଶବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଦେଶର ଥିବା ୧୩୫ଟି ପାୱାର ପ୍ଲାଣ୍ଟ୍ର କୋଇଲା ଷ୍ଟକ୍ ସ୍ଥିତିର ଦୈନିକ ସମୀକ୍ଷା ହେଉଛି। ସେଥିରୁ ୧୧୫ଟି ପ୍ଲାଣ୍ଟ୍ରେ ସ୍ଥିତି ଜଟିଳ ଥିବା ଜଣାପଡ଼ିଛି। ୭୦ଟି ପାୱାର ପ୍ଲାଣ୍ଟ୍ରେ ଯେତିକି କୋଇଲା ରହିଛି ତାହା ଚାରି ଦିନର ଆବଶ୍ୟକତା ପୂରଣ କରିପାରିବ ନାହିଁ। କୋଇଲା ସ୍ଥିତିରେ ଉନ୍ନତି ଆଣିବା ଲାଗି ଆମଦାନି ବଢ଼ାଇବାକୁ ପାୱାର ପ୍ଲାଣ୍ଟ୍ଗୁଡ଼ିକୁ କୁହାଯାଇଛି। ଦେଶ ଭିତରେ ଯୋଗାଇ ଦିଆଯାଉଥିବା କୋଇଲା ସହ ଆମଦାନି କୋଇଲାକୁ ମିଶାଇ ବ୍ୟବହାର କରିବାକୁ ସେମାନଙ୍କୁ କୁହାଯାଇଛି।






