ଯାଜପୁର,(ବାଘୁଆବାର୍ତ୍ତା): ଯାଜପୁର ଜିଲ୍ଲା ମଙ୍ଗଳପୁର ପଞ୍ଚାୟତ ଇସ୍ମାଇଲ୍ପୁର ଗ୍ରାମର ବିଜେପି ନେତା ସୁବାସ କୁଅଁର ଓରଫ ଅଟଳ(୪୨)ଙ୍କୁ ହତ୍ୟା କରାଯାଇଛି। ଦାମ୍ପତ୍ୟ କଳହରୁ ଏହି ହତ୍ୟାକାଣ୍ଡ ଘଟିଛି। ପୁଲିସ ଏହି ଘଟଣାରେ ଅଟଳଙ୍କ ପତ୍ନୀ ତଥା ବିଜେପି ନେତ୍ରୀ ମମତା କୁଅଁରଙ୍କୁ ଗିରଫ କରିଛି। ଆଜି ବ୍ଲକ୍ ବିଜେପି ପକ୍ଷରୁ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ପ୍ରତିବାଦରେ ଦଶରଥପୁରସ୍ଥ ଏସ୍ଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କାର୍ଯ୍ୟକ୍ରମ ଥିଲା। ଏଥିପାଇଁ ସୋମବାର ଥାଲକୁଡିସ୍ଥ ଅସ୍ଥାୟୀ ବିଜେପି କାର୍ଯ୍ୟାଳୟରେ ରାତ୍ର ପ୍ରାୟ ୯.୩୦ ପର୍ଯ୍ୟନ୍ତ ଆଲୋଚନା ଚାଲିଥିଲା। ପ୍ରସ୍ତୁତ ବ୍ୟାନରକୁ ନେଇ ବିକ୍ଷୋଭସ୍ଥଳରେ ପହଞ୍ଚିବାକୁ ଅଟଳଙ୍କୁ ଦାୟିତ୍ବ ଦିଆଯାଇଥିଲା । ଏହାପରେ ସେ ମଂଗଳପୁର ବଜାର ସଂଲଗ୍ନ ବାଳିକା ବିଦ୍ୟାଳୟ ନିକଟ ଭଡ଼ାଘରକୁ ଆସିଥିଲେ। ସେଠାରେ ରାତ୍ରଭୋଜନ ସାରି ଶୋଇବାକୁ ଯାଇଥିଲେ। ଅଟଳ ଏବଂ ସ୍ତ୍ରୀ ମମତା ଗୋଟିଏ ରୁମ୍ରେ ଏବଂ ଶାଳୀ ସଂଯୁକ୍ତା ବିଶ୍ବାଳ, ଶାଶୂ ଅରୁଣି ରାଉତ ଅନ୍ୟଏକ ରୁମ୍ରେ ଶୋଇଥିଲେ । ରାତ୍ର ପ୍ରାୟ ୧୧.୨୦ବେଳେ ଚିତ୍କାର ଶୁଣି ଶାଳୀ ସଂଯୁକ୍ତା ଉଠି ଭଉଣୀ, ଭିଣୋଇକୁ ଡାକିଥିଲେ। ହେଲେ ନଶୁଣିବାରୁ ଉପର ମହଲାକୁ ଯାଇ ଘରମାଲିକ ଏବଂ ଅନ୍ୟ ଭଡାଟିଆମାନଙ୍କୁ ଡାକିଥିଲେ। ଏମାନେ ଆସି ଡାକିବାର କିଛି ସମୟ ପରେ ମମତା କବାଟ ଖୋଲିଥିଲେ । ଗୁରୁତର ଅବସ୍ଥାରେ ଅଟଳଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମଂଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ । ସେଠାରେ ଡାକ୍ତର ଅଟଳଙ୍କୁ ମୃତ ଘୋଷଣା କରିଥିଲେ ।ରଶି କିମ୍ବା ତାରରେ ଅଟଳର ବେକକୁ ଶକ୍ତଭାବେ ଭିଡ଼ା ଯାଇଥିବାରୁ ବେକରେ ଏକ ଦାଗ ରହିଥିବା ଦେଖିବାକୁ ମିଳିଥିଲା। ସେହିପରି ବେକରେ ବିଭିନ୍ନ ସ୍ଥାନରେ ନଖ ଦାଗ ପଡି ରକ୍ତାକ୍ତ ହୋଇଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ସୂଚନା ମିଳିଛି। ଅଟଳଙ୍କୁ ସୁଚିନ୍ତିତ ଭାବେ ହତ୍ୟା କରାଯାଇଥିବାନେଇ ଆଜି ସକାଳେ ମଂଗଳପୁର ଥାନାରେ ବଡ଼ଭାଇ ରଂଜନ କୁଅଁର ଲିଖିତ ଅଭିଯୋଗ କରିଥିଲେ। ଏହି ଘଟଣାରେ ମଂଗଳପୁର ପୁଲିସ କେସ୍ ନମ୍ବର ୩୬୫/୧୨ରେ ଦଫା ୩୦୨ରେ ମାମଲା ରୁଜୁ କରି ଅଟଳଙ୍କ ସ୍ତ୍ରୀ ମମତା କୁଅଁର, ନାବାଳକ ପୁଅ ଓମ୍ପ୍ରକାଶ କୁଅଁର ଏବଂ ଶାଶୂ ଅରୁଣି ରାଉତଙ୍କୁ ଅଟକ ରଖି ଜେରା କରିଥିଲା। ମୃତ ଶରୀରକୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇବା ପରେ ସାଇଣ୍ଟିଫିକ ଟିମ୍ ଏବଂ ମଂଗଳପୁର ପୁଲିସ ମିଳିତ ଭାବେ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଥିଲେ । ପୁଲିସ ସେହିରୁମ୍ରୁ ଭଙ୍ଗା ଶଂଖା, ସୁନା ହାର, ସୁନା ମୁଦି, ୨ଟି ମୋବାଇଲକୁ ଜବତ କରିଥିଲେ। ପୁଲିସ ହତ୍ୟା ଅଭିଯୋଗରେ ମମତାଙ୍କୁ ଗିରଫ କରିଛି। ମମତା କୁଅଁର ୨୦୧୭ ମସିହାରେ ବିଜେପି ପକ୍ଷରୁ ୬ ନମ୍ବର ଜିଲ୍ଲାପରିଷଦ ଜୋନରୁ ନିର୍ବାଚନ ଲଢ଼ି ପରାଜୟ ବରଣ କରିଥିଲେ । ଏହାପରେ ମହିଳା ମୋର୍ଚ୍ଚାର କର୍ମକର୍ତ୍ତା ଭାବେ ଆଗଧାଡ଼ିରେ କାର୍ଯ୍ୟ କରୁଥିଲେ ।





