ଭଦ୍ରକ, (ବାଘୁଆବାର୍ତ୍ତା): ରାଜ୍ୟ ସରକାର ଙ୍କର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ଏକ ଆଲୋଚନା ଚକ୍ର ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ କୁଆଁସ ସ୍ଥିତ ବିଜେପି ବିଧାନସଭା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଏବଂ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ଙ୍କ ସହିତ ଜିଲ୍ଲା ସଦର ମହକୁମାର କାର୍ଯ୍ୟରତ ସାମ୍ବାଦିକ ମାନେ ଯୋଗ ଦେଇଥିଲେ । ରାଜ୍ୟରେ ଏକ ବର୍ଷ ନୂଆ ସରକାର ଙ୍କ ଉପଲବ୍ଧି ଓ ନୂଆ ନୂଆ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରଥମେ ଆଲୋଚନା କରାଯାଇଥିଲା । ପରେ ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀର ନୂଆ ବିଜେପି ବିଧାୟକ ଏକ ବର୍ଷ ମଧ୍ୟରେ କିପରି ଉନ୍ନତି ମୂଳକ କାର୍ଯ୍ୟକ୍ରମ କରିଛନ୍ତି, ସେ ସମ୍ପର୍କରେ ବିଧାୟକ ଗଣ ମାଧ୍ୟମ ପ୍ରତିନିଧି ଙ୍କୁ ସୂଚନା ଦେଇଥିଲେ । ଏହି ଏକ ବର୍ଷ ମଧ୍ୟରେ ଏପରିକି ଉଛେଦ ଦୋକାନୀ ମାନଙ୍କୁ ଥଇଥାନ ପ୍ରକ୍ରିୟା ଆରମ୍ଭ, ଉଛେଦ ସ୍ଥାନରେ ନୂଆ ଡ୍ରେନ ନିର୍ମାଣ କରିବା, ଭଦ୍ରକ ସହରରେ ଜଳ ନିଷ୍କାସନର ସୁଧାର, ଚରମ୍ପା ଅଞ୍ଚଳରେ ଡ୍ରେନ ନିର୍ମାଣ, ଭଦ୍ରକ ଆରଡ଼ି ରାସ୍ତାର ଉନ୍ନତି କରଣ କାର୍ଯ୍ୟ ସହିତ ଭଦ୍ରକ ସହର ଦେଇ ପ୍ରବାହିତ ସାଳନ୍ଦୀ ନଦୀର ସୌନ୍ଦର୍ଯ୍ୟ କରଣର ବୃଦ୍ଧି, ଭଦ୍ରକ ବ୍ଲକ ଅଞ୍ଚଳର ବିଭିନ୍ନ ନୂଆ ନୂଆ ଯୋଜନାର ଅଗ୍ରଗତି ସମ୍ପର୍କରେ ବିଧାୟକ ସୂଚନା ଦେବା ସହିତ ଗଣମାଧ୍ୟମର ମାନଙ୍କ ଠାରୁ ଭଦ୍ରକର ବିକାଶ ପାଇଁ ପରାମର୍ଶ ଲୋଡ଼ିଥିଲେ । ଏପରିକି ଭଦ୍ରକ ଡାକ୍ତରଖାନା କୁ ନୂଆ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ ରଜ ପୂର୍ବରୁ ହେବ ବୋଲି ଉଭୟ ବିଧାୟକ ଓ ସାଂସଦ ସୂଚନା ଦେଇଥିଲେ । ସେହିପରି ଗଣମାଧ୍ୟମର ପ୍ରତିନିଧି ମାନେ ଭଦ୍ରକର ଉନ୍ନତି ମୂଳକ କାର୍ଯ୍ୟକ୍ରମ ଓ ସମସ୍ୟା ସମ୍ପର୍କରେ ବିଧାୟକ ଓ ସାଂସଦ ଙ୍କୁ ଅବଗତ କରାଇଥିଲେ । ଏହି ଅବସରରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ବିଧାୟକ ଉତ୍ତରୀୟ ଓ ଡାଏରୀ ଦେଇ ସେମାନଙ୍କ ସହଯୋଗ ପାଇଁ ଶୁଭେଚ୍ଛା ଓ ଶୁଭକାମନା ଜଣାଇ ସମ୍ବର୍ଦ୍ଧିତ କରିଥିଲେ । ତେବେ ବିଧାୟକ ଙ୍କ ଏପରି ନିଆରା କାର୍ଯ୍ୟକ୍ରମ କୁ ସମସ୍ତେ ପ୍ରଶଂସା କରିଛନ୍ତି ।






