ରଣପୁର, (ବାଘୁଆବାର୍ତ୍ତା): ପବିତ୍ର ଗାନ୍ଧୀ ଜୟନ୍ତୀ ଠାରୁ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ପର୍ଯ୍ୟନ୍ତ ବିଜୁଜନତା ଦଳ ପକ୍ଷରୁ ଜନ ସମ୍ପର୍କ ଅଭିଯାନ ଆରମ୍ଭ ହୋଇଛି। ଏହି ପଦଯାତ୍ରାରେ ମଧ୍ୟ ରଣପୁର ନିର୍ବାଚନ ମଣ୍ଡଳୀରେ ବିଜେଡି ଦଳ ସାମିଲ ହୋଇ ଏହି ପଦଯାତ୍ରା କାର୍ଯ୍ୟକ୍ରମ ଆରମ୍ଭ କରିଛି ।ଏହି ପଦଯାତ୍ରା ଗୋପାଳପୁର ଠାରୁ ମଝିଆଖଣ୍ଡ ପର୍ଯ୍ୟନ୍ତ କରାଯାଇଥିଲା । ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ନୟାଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ବ୍ଲକ ସଭାପତି ସଚିକାନ୍ତ ଷଡ଼ଙ୍ଗୀ, ବିଜ୍ଞାପିତ ଅଞ୍ଚଳ ପରିଷଦ ନଗର ସଭାପତି ଲିଙ୍ଗରାଜ ନାୟକ, ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ସାଂସଦ ପ୍ରତିନିଧି ସ୍ୱରାଜ ମହାନ୍ତି, ରଣପୁର ବ୍ଲକ ଉପସଭାପତି ପ୍ରଭାତ ଦଳବେହେରା, ଯୁବ ନେତା ବନମାଳୀ ମହାପାତ୍ର, ଲିଙ୍କନ ସୁବୁଦ୍ଧି, ନର୍ମଦା ରାୟ, ଡ଼ ସନ୍ତୋଷ କୁମାର ଲେଙ୍କା, ରଞ୍ଜନ ଦାଶ, ଲିଟୁ ସ୍ୱାଇଁଙ୍କ ସହ ସମସ୍ତ ବିଜେଡି କର୍ମୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏଥିରେ ଲୋକମାନଙ୍କୁ ବିଭିନ୍ନ ଯୋଜନା ସମ୍ପର୍କରେ ବୁଝା ଯାଇଥିଲା ।
ଗାନ୍ଧି ଜୟନ୍ତୀରୁ ସାରା ରାଜ୍ୟରେ ଆରମ୍ଭ ହୋଇଛି ବିଜେଡିର ଜନସମ୍ପର୍କ ପଦଯାତ୍ରା। ଜୟପ୍ରକାଶ ଜୟନ୍ତୀ ଯାଏଁ ରାଜ୍ୟବ୍ୟାପୀ ଚାଲିବ ଏହି ପଦଯାତ୍ରା । ଏହା ମାଧ୍ୟମରେ ପ୍ରତି ଘରେ ପହଞ୍ଚିବାକୁ ବିଜୁ ଜନତା ଦଳ ଲକ୍ଷ୍ୟ ରଖିଛି । ପଦଯାତ୍ରା କରି ବିଜେଡିର ନେତା, ମନ୍ତ୍ରୀ, ବିଧାୟକ ଓ ସାଂସଦ ରାଜ୍ୟ ସରକାରଙ୍କ ବିକାଶମୂଳକ କାମ ସମ୍ପର୍କରେ ଲୋକଙ୍କୁ ବୁଝାଇବେ। ସବୁ ନିର୍ବାଚନ ମଣ୍ଡଳୀରେ ପଦଯାତ୍ରା ସହ ରକ୍ତଦାନ, ବୃକ୍ଷରୋପଣ ଓ ଅନ୍ୟ ସାମାଜିକ କାର୍ଯ୍ୟକ୍ରମ ହେବ। ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ପର୍ୟ୍ୟନ୍ତ ଏହି ପଦଯାତ୍ରା ଚାଲିବ। ଅକ୍ଟୋବର ୨ ରୁ ୧୫ ତାରିଖ ଯାଏ ଏହି ଜନସମ୍ପର୍କ ଯାତ୍ରା କାର୍ଯ୍ୟକ୍ରମ କରାଯିବ ବୋଲି ରଣପୁର ବିଧାୟକ କହିଛନ୍ତି । ସବୁ ନିର୍ବାଚନମଣ୍ଡଳୀରେ ପଦଯାତ୍ରା ସହ ପ୍ରଶିକ୍ଷଣ କାର୍ୟ୍ୟକ୍ରମ ହେବ । ଅକ୍ଟୋବର ୧୨ରୁ ମାସକ ଯାଏ ଦଳର ସକ୍ରିୟ ସଦସ୍ୟ, ସଦସ୍ୟାଙ୍କୁ ନେଇ ଜିଲ୍ଲାପରିଷଦ ଜୋନ୍ସ୍ତର ଓ ପୌରାଞ୍ଚଳସ୍ତରରେ ପ୍ରଶିକ୍ଷଣ ଶିବିର କରାଯିବ । ଦଳର ସାଂଗଠନିକ କାର୍ୟ୍ୟକ୍ରମକୁ ସୁଦୃଢ଼ କରିବାକୁ ଲୋକଙ୍କ ପାଖକୁ ଯାଇ ସିଧାସଳଖ ସମ୍ପର୍କ ସ୍ଥାପନ କରିବାକୁ ଯୋଜନା ହୋଇଛି । ପ୍ରତି ୱାର୍ଡରେ ପହଞ୍ଚି ସରକାରୀ ଯୋଜନା ବାବଦରେ ସଚେତନତା ସୃଷ୍ଟି କରାଯିବ । ଏଥିରେ ଓଡ଼ିଶାର ସଂଗ୍ରାମୀ ଓ ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବ। ରାଜ୍ୟର ବିକାଶକୁ ଶୀର୍ଷକୁ ନେବାକୁ ବିଜେଡି ନେତା ଓ କର୍ମୀମାନେ ସଙ୍କଳ୍ପ ନେବେ। ଜିଲ୍ଲା ପର୍ଯ୍ୟବେକ୍ଷକ ଓ ଜିଲ୍ଲା ସଭାପତିଙ୍କ ନେତୃତ୍ୱ ନେଇ ପଦଯାତ୍ରା ସହ ସବୁ ସାମାଜିକ କାର୍ଯ୍ୟକ୍ରମ କରିବାକୁ ବିଜେଡି ଦଳର ସୁପ୍ରିମୋ ନବୀନ ଆହ୍ୱାନ ଦେଇଛନ୍ତି।






