ଭୁବନେଶ୍ବର, (ବାଘୁଆବାର୍ତ୍ତା): ବିଜେଡିର ମିଶ୍ରଣ ପର୍ବ । ବିଜେଡିରେ ମିଶିଲେ ବ୍ରହ୍ମପୁର ମହାନଗର ନିଗମର ୪ ବିଜେପି କର୍ପୋରେଟର । ବ୍ରହ୍ମପୁର ମହାନଗର ନିଗମର ୱାର୍ଡ ନଂ ୨୦ର ରଞ୍ଜିତା ବେହେରା, ୱାର୍ଡ ନଂ ୨୧ର ଡ଼ି କରୁଣା କର, ୱାର୍ଡ ନଂ ୨୨ର ପ୍ରଦୀପ ଶତପଥୀ, ୱାର୍ଡ ନଂ ୨୭ର ନୀଳକଣ୍ଠ ସାହୁ ବିଜେପି ଛାଡି ବିଜେଡ଼ିରେ ସାମିଲ ହୋଇଛନ୍ତି । ବିଜେଡିରେ ମିଶିବା ପରେ ପ୍ରତିକ୍ରିୟା ରଖିଛନ୍ତି । ସେମାନେ କହିଛନ୍ତି ଦୁଃଖର ବିଷୟ ଯେଉଁ ଦଳ ପାଇଁ ଏତେ କାମ କରିଥିଲୁ, ସଂଗଠନ ପାଇଁ ଲଢେଇ କରିଥିଲୁ, ନୂଆ ସଭାପତି ହେବା ପରେ ସେ ଦଳରେ ଆମକୁ ପଚାରୁ ନଥିଲେକି ଦଳର କୌଣସି ବୈଠକକୁ ଡାକୁ ନଥିଲେ । ଯେଉଁ ଦଳ ପାଇଁ ବହୁ କଷ୍ଟ କରିଥିଲୁ ସେହି ଦଳ ଅଣଦେଖା କଲା । ଚାକିରି ନାଁରେ ଠକେଇ କରିଥିବା ଲୋକଙ୍କୁ ଆପଣାଇଛି ବିଜେପି । ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେପି ଦଳରେ ସାମିଲ କରିଛି । ଏହାକୁ ବିରୋଧ କରି ଆମେ ବିଜେପି ଛାଡି ବିଜେଡିରେ ସାମିଲ ହୋଇଛୁ । ମୁଖ୍ୟମନ୍ତ୍ରୀ ଏବଂ ସଂଗଠନ ସମ୍ପାଦକଙ୍କ ପକ୍ଷରୁ ଏହି କର୍ପୋରେଟରମାନଙ୍କୁ ଦଳକୁ ରାଜ୍ୟସଭା ସାଂସଦ ତଥା ବ୍ରହ୍ମପୁର ଲୋକସଭା ପର୍ଯ୍ୟବେକ୍ଷକ ମାନସ ମଙ୍ଗରାଜ ସ୍ୱାଗତ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରାରେ ଅନୁପ୍ରାଣିତ ହୋଇ ବିଜେଡି ସାମିଲ ହୋଇଥିବା ସେ କହିଛନ୍ତି ।






