ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ପରିଷଦ ସଭାଗୃହ ସୃଜନଠାରେ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ଅପ୍ରେଲ ମାସ ଶେଷ ଶନିବାର ସମଗ୍ର ବିଶ୍ୱରେ ପ୍ରାଣୀ ଚିକିତ୍ସାର ଗୁରୁତ୍ୱ ବିଷୟରେ ଜନମାନସକୁ ସଚେତନ କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି । କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗ ଦେଇ ସମାଜରେ ପ୍ରାଣୀ ଚିକିତ୍ସକ ଏବଂ ପ୍ରାଣୀ ପାଳକମାନଙ୍କର ଅବଦାନ ବିଷୟରେ ଉପସ୍ଥିତ ଚାଷୀ ଓ କର୍ମଚାରୀଙ୍କୁ ଅବଗତ କରିଥିଲେ । ସମ୍ମାନିତ ଅତିଥି ଡ. ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ବନମାଳୀ ପ୍ରଧାନ, ଉଦ୍ୟାନ ବିଭାଗ ଉପ ନିର୍ଦ୍ଦେଶକ ଲଳିତ କୁମାର ପଣ୍ଡା ଯୋଗ ଦେଇ ଜନସ୍ୱାସ୍ଥ୍ୟ ଓ ସଂକ୍ରାମକ ରୋଗ ନିରାକରଣ ନିମନ୍ତେ ବିଭିନ୍ନ ବିଭାଗର ସମନ୍ୱୟ ରକ୍ଷା ଉପରେ ବିବରଣୀ ପ୍ରଦାନ କରିଥିଲେ । ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ ଡ. ବସନ୍ତ କୁମାର ବେହେରା ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ବିଷୟରେ ଚାଷୀମାନଙ୍କୁ ଅବଗତ କରାଇଥିଲେ । ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ବିଷୟରେ ଏକ ବିସ୍ତୃତ କର୍ମଶାଳା ଡା. ଅକ୍ଷୟ କୁମାର ଜେନା, ଡା. ରମେଶ କୁମାର ବେହେରା, ଡ. ତପନ କୁମାର ମିଶ୍ରଙ୍କ ଦ୍ୱାରା ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଡା. ବିଭୂପ୍ରସାଦ ଶତପଥି ପରିଚାଳନା କରିଥିଲେ ।





