ରାୟପୁର, (ବାଘୁଆବାର୍ତ୍ତା): ଏଥର ଛତିଶଗଡ଼ରେ ବିଜେପି ନୂଆ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଦେବ। ବିଷ୍ଣୁଦେବ ସାଏ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। କେନ୍ଦ୍ରୀୟ ନେତୃତ୍ୱ ମୁଖ୍ୟମନ୍ତ୍ରୀ ପାଇଁ ବିଷ୍ଣୁଙ୍କୁ ଚୟନ କରିଥିବା ସୂଚନା ମିଳିଛି। ଏନେଇ ବିଜେପି ଆଉ କିଛି ସମୟ ପରେ ଆନୁଷ୍ଠାନିକ ଭାବେ ବିଷ୍ଣୁଙ୍କ ନାଁ ଘୋଷଣା କରିବ ବୋଲି ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ଘୋଷଣା ନେଇ ରବିବାର ଛତିଶଗଡ଼ ରାଜଧାନୀ ରାୟପୁରରେ ନବନିର୍ବାଚିତ ୫୪ ବିଧାୟକଙ୍କ ମଧ୍ୟରେ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା। ବୈଠକରେ ବିଷ୍ଣଦେବ ସାଏଙ୍କ ନାଁ ଚୟନ କରାଯାଇଛି ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି। ସେହିପରି ଓପି ଚୌଧୁରୀ ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି କୁହାଯାଉଛି। ନିକଟରେ ଶେଷ ହୋଇଥିବା ଛତିଶଗଡ଼ ନିର୍ବାଚନରେ ବିଜେପି ମୋଟ ୯୦ଟି ଆସନରୁ ୫୪ଟି ଆସନରେ ବିଜୟୀ ହୋଇଥିଲା। ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା ନ କରି ବି ଦଳ ବଡ଼ ବିଜୟ ହାସଲ କରିଥିଲା। ନିକଟରେ ହୋଇଥିବା ନିର୍ବାଚନରେ ବିଷ୍ଣୁଦେବ ସାଏ ଛତିଶଗଡ଼ର କୁନକୁରି ବିଧାନସଭା ନିର୍ବାଚନରେ ମୋଟ ୮୭,୬୦୪ ଭୋଟ ସହ ନିର୍ବାଚିତ ହୋଇଛନ୍ତି। ଶ୍ରୀ ସାଏ ପୂର୍ବରୁ ଛତିଶଗଡ଼ର ଅଧ୍ୟକ୍ଷ ପଦ ବି ସମ୍ଭାଳି ସାରିଛନ୍ତି। ନିର୍ବାଚନ ପୂର୍ବରୁ ହିଁ ମୁଖ୍ୟମନ୍ତ୍ରୀ ପାଇଁ ଆଦିବାସୀ ଚେହେରା ଭାବେ ଶ୍ରୀ ସାଏଙ୍କୁ ଦଳ ଯୋଗ୍ୟ ବୋଲି ବିଚାର କରିଥିଲା। ରାଜ୍ୟ ରାଜନୀତି ଛଡ଼ା କେନ୍ଦ୍ର ରାଜନୀତିରେ ଶ୍ରୀ ସାଏଙ୍କ ପ୍ରଭାବ ରହିଛି। ସେ ମୋଦୀ ସରକାରରେ ପ୍ରଥମ କାର୍ୟ୍ୟକାଳରେ କେନ୍ଦ୍ର ଇସ୍ପାତ ରାଷ୍ଟ୍ର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ଏଥିସହିତ ରାୟଗଡ଼ରୁ ସଂସଦ ଭାବେ ନର୍ବାଚିତ ହୋଇଥିଲେ। ୨୦୨୦ରୁ ୨୦୨୨ ମଧ୍ୟରେ ସେ ଛତିଶଗଡ଼ ବିଜେପି ଅଧ୍ୟକ୍ଷ ଦାୟିତ୍ୱ ତୁଲାଇଥିଲେ।






