ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଟାଉନଥାନା ଅନ୍ତର୍ଗତ ଘଡ଼ୁଆଳ ଗତକାଲି ରାତିରୁ ଜଣେ ମହିଳା ମୃତ୍ୟୁ ବରଣ କରିଥିଲେ । ମୃତ ମହିଳା ଜଣଙ୍କ ହେଲେ ଦୋଇତ ଦେଇ(୬୬) । ଗତକାଲିଠାରୁ ଆଜି ପର୍ଯ୍ୟନ୍ତ ତାଙ୍କ ଶବ ସତ୍କାର କରାଯାଇ ପାରି ନଥିଲା । ଦୋଇତଙ୍କ ସ୍ୱାମୀ କିଛିମାସ ତଳେ ମୃତ୍ୟୁ ବରଣ କରିଥିବା ବେଳେ ତାଙ୍କର ଏକମାତ୍ର ଝିଅ ବାହା ହୋଇ ସାରିଛନ୍ତି । କିଛିଦିନ ହେବ ସେ ଜ୍ୱରରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି । ଦୁଇ ଦିନ ତଳୁ ସେ ସୁସ୍ଥ ହୋଇ ସାରିଥିବା ବେଳେ ଗତକାଲି ରାତିରେ କୈାଣସି କାରଣରୁ ତାଙ୍କର ମୃତ୍ୟୁ ଘଟିଥିଲା । ମୃତ୍ୟୁ ପରେ ଗ୍ରାମବାସୀ ତଥା ବନ୍ଧୁ ବାନ୍ଧବ ପାଖ ମାଡ଼ିନଥିବା ବେଳେ ଶବ ସତ୍କାର କରିବା ପାଇଁ କେହି ଆଗ୍ରହ ପ୍ରକାଶ କରିନଥିଲେ । ଆଜି ଶବ ପଡ଼ିଥିବା ନେଇ ଅନନ୍ୟା ଫାଉଣ୍ଡେସନର ଆଶୁତୋଷ ଦାଶ ଏବଂ ସନ୍ତୋଷ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚିଥିଲେ । ଶବକୁ ବାଇକ ସାହାର୍ଯ୍ୟରେ ନେଇ ଘଡ଼ୁଆଳ ସ୍ମଶାନରେ ସତ୍କାର କରିଥିବା ଜଣାଯାଇଛି । ଆଶୁତୋଷ ଏବଂ ସନ୍ତୋଷଙ୍କ ଏଭଳି କାର୍ଯ୍ୟକୁ ନେଇ ଆଜି ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି ।






