ଚୋରା ବାଇକ ଜବତ
ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅଂଚଳରେ ଜଣେ ଯୁବକ ଟ୍ରାକ୍ଟର ନମ୍ବରରେ ବାଇକ ଚଳାଇବା ମହଙ୍ଗା ପଡ଼ିଛି । ଆଜି ପୁଲିସ ଯୁବକଙ୍କୁ ଗିରଫ କରିବା ସହ ଚୋରା ବାଇକଟିକୁ ଜବତ କରିଛି । ସୂଚନାନୁସାରେ, ଖୋର୍ଦ୍ଧା ବଲାଙ୍ଗିରୀ ଜାତୀୟ ରାଜପଥ ଦଶପଲ୍ଲା ଥାନା ଜଗାପୁର ଗ୍ରାମ ନିକଟରେ ଆଜି ପୁଲିସ ଚେଂକି କରୁଥିବା ବେଳେ ଏକ ବାଇକ୍ ପୁଲିସ ସନ୍ଦେହକୁ ଆସିଥିଲା । ଯାହାକୁ ନେଇ ଏହାର କାଗଜାତ ମାଗିବା ପରେ ବାଇକ ଚାଳକ ଦେଖାଇ ପାରିନଥିଲେ । ପୁଲିସ ବାହାନ ଆପ୍ରେ ଯାଂଚ ବେଳେ ଗାଡ଼ିଟିରେ ଟ୍ରାକ୍ଟର ନମ୍ବର ଲାଗିଥିବା ଜଣାପଡ଼ିଥିଲା । ଏହାକୁ ନେଇ ଏଏସ୍ଆଇ ପ୍ରମୋଦ କୁମାର ନନ୍ଦ ଥାନାରେ ରିର୍ପୋଟ କରିବା ସହ ବାଇକ ଜବତ କରିଥିଲେ । ଏଥିସହିତ ବାଇକ ଚାଳକକୁ ଗିରଫ କରାଯାଇଥିବା ଜଣାଯାଇଛି । ଏହି ବ୍ୟକ୍ତି ଜଣଙ୍କ ହେଲେ ସ୍ଥାନୀୟ ପୁରୁଣା ଦଶପଲ୍ଲା ଗ୍ରାମର ରାଜିକିଶୋର ପରିଡ଼ାଙ୍କ ପୁଅ ସୁଶାନ୍ତ କୁମାର ପରିଡ଼ା ବୋଲି ଜଣାଯାଇଛି । ଏହି ବାଇକକୁ ସେ ୬ ଶହ ଟଙ୍କାରେ କିଣିଥିବା ପୁଲିସ ଆଗରେ ସ୍ୱୀକାର କରିଛନ୍ତି । ଆଜି ଗିରଫ ହୋଇଥିବା ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି । ଅନ୍ୟପକ୍ଷେ, ଦଶପଲ୍ଲା ଅଂଚଳରେ ଏହି ପରି ଅନେକ ଚୋରା ବାଇକ୍ ଆତଯାତ କରୁଥିବା ଅଭିଯୋଗ ହେଉଛି ।






