ପାଟନା, (ବାଘୁଆବାର୍ତ୍ତା): ବିହାରରେ ଫ୍ଲୋର୍ ଟେଷ୍ଟ ପୂର୍ବରୁ ବହୁମତ ସାବ୍ୟସ୍ତ । ଏନଡିଏ-ଜେଡିୟୁ ମେଣ୍ଟ ସରକାର ସଂଖ୍ୟା ଗରିଷ୍ଠତା ବାସ୍ୟସ୍ତ କରିଛନ୍ତି । ଆରଜେଡି ପକ୍ଷରୁ ଥିବା ବିହାର ବାଚସ୍ପତି ପଦରୁ ହଟିଛନ୍ତି ଅବଧ ବିହାରୀ ଚୌଧୁରୀ । ଅନାସ୍ଥା ଭୋଟିଂରେ ସପକ୍ଷରେ ୧୨୫ ଭୋଟ୍ ପଡ଼ିଥିବା ବେଳେ ୧୧୪ ବିଧାୟକ ବିପକ୍ଷରେ ଭୋଟ୍ କରିଛନ୍ତି । ବାଚସ୍ପତିଙ୍କୁ ହଟାଇବା ଅନାସ୍ଥା ପାସ୍ ହେବା ପରେ ବିଧାନସଭାରେ ନୀତୀଶ ସରକାରଙ୍କ ବହୁମତ ସାବ୍ୟସ୍ତ କରିବାକୁ ନେଇ ବିତର୍କ ଆରମ୍ଭ ହୋଇଛି । ବାଚନିକ ଭୋଟରେ ବାଚସ୍ପତି ଅବଧ ବିହାରୀ ଚୌଧୁରୀଙ୍କୁ ହଟାଯାଇଛି । ଉପ-ବାଚସ୍ପତି ମହେଶ୍ବର ହଜାରୀ ବିଧାନସଭାରେ ବାଚସ୍ପତିଙ୍କୁ ହଟାଇବାକୁ ପ୍ରସ୍ତାବ ଆଗତ କରିଥିଲେ । ଏହାକୁ ବିରୋଧ କରିଥିଲେ ଆରଜେଡି ନେତା ତେଜସ୍ବୀ ଯାଦବଙ୍କ ସମତେ ବହୁ ବିଧାୟକ । ଭୋଟିଂ ବେଳେ ଡେପୁଟି ସିଏମ୍ ସମ୍ରାଟ୍ ଚୌଧୁରୀଙ୍କ ଉପସ୍ଥିତିକୁ ମଧ୍ୟ ଆପତ୍ତି ଉଠାଇଥିଲେ ତେଜସ୍ବୀ । ଅନ୍ୟପଟେ ବିତର୍କରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଟାର୍ଗେଟ୍ କରିଛନ୍ତି ତେଜସ୍ବୀ । ସେ ନୀତୀଶଙ୍କୁ ପକ୍ଷ ପରିବର୍ତ୍ତନ କରିବାର କାରଣ ପଚାରିଛନ୍ତି ଏବଂ ବିହାରବାସୀ ଜବାବ ମାଗୁଛନ୍ତି ବୋଲି କହିଛନ୍ତି । ଆସନ୍ତା ଲୋକସଭା ନିର୍ବାଚନରେ ଆରଜେଡି ମୋଦିଙ୍କୁ ଏକାକୀ ଅଟକାଇବ ବୋଲି ଚ୍ୟାଲେଞ୍ଜ କରିଛନ୍ତି ।






