ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ରୋଡ଼ସ୍ଥିତ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ପାଳିତ ହୋଇଯାଇଛି । ସଂପାଦକ ଶ୍ରୀଧର ସାହୁଙ୍କ ପୈାରହିତ୍ୟରେ ଆୟୋଜିତ ଶୋଭାଯାତ୍ରା ଓ ରକ୍ତଦାନ ଶିବିରକୁ ଉଚ୍ଚଶିକ୍ଷା ଓ କୃଷି ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ନୟାଗଡ଼ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ହର୍ଷବର୍ଦ୍ଧନ ଉଦ୍ଗାତା ଓ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଯୋଗ ଦେଇଥିଲେ । ଶୋଭାଯାତ୍ରା ବିଦ୍ୟାଳୟ ପ୍ରାଙ୍ଗଣରୁ ବାହାରି ଦକ୍ଷିଣକାଳୀ ମନ୍ଦିରରେ ପଂହଚି, ପୁନଃ ବିଦ୍ୟାଳୟ ପ୍ରାଙ୍ଗଣକୁ ଫେରିଥିଲା । ଏହି ଅବସରରେ ଶିକ୍ଷାବିତ୍ ହରିହର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ପ୍ରଶାନ୍ତ କୁମାର ଦାଶ, ସମାଜସେବୀ ଅନାଦି ଚରଣ ମହାନ୍ତି ଯୋଗଦେଇ, ସ୍ୱାମୀ ବିବେକାନନ୍ଦ ଥିଲେ ଭାରତବର୍ଷର ପ୍ରାଣ ଏବଂ ତାଙ୍କ ଆଦର୍ଶ ଜୀବନୀ ସମସ୍ତ ଯୁବ ସମାଜ ପାଇଁ ପ୍ରେରଣା ଯୋଗାଉଛି ବୋଲି ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ଓ ସମାଜସେବୀ ଦାମୋଦର ସାହୁଙ୍କୁ ସମ୍ମାନୀତ କରାଯାଇଥିଲା । ଅନୁଷ୍ଠିତ ହୋଇଥିବା ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ମୋଟ ୨୧ ୟୁନିଟ୍ ରକ୍ତ ସଂଗୃହିତ ହୋଇଛି ।





