ଖୋର୍ଦ୍ଧା, (ବାଘୁଆବାର୍ତ୍ତା): ନିଜକୁ ଭୂତ ମାନଙ୍କ ପ୍ରେସିଡେଣ୍ଟ ବୋଲି କହି ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାରେ ଥିଲେ । ୪୦ ଲକ୍ଷ ଭୂତ ତାଙ୍କ କଥାରେ ଉଠ୍ବସ୍ ହେଉଥିବା ବାହାସ୍ଫୋଟ ମାରୁଥିଲେ । ମଶାଣୀରେ ତନ୍ତ୍ରପାଠ କରି ରାଜଧାନୀକୁ ୪୫ ମିନିଟ୍ ଅନ୍ଧାର କରିଦେଇଥିବା ଦାବି କରୁଥିଲେ । ଏଥିସହିତ ଜଣେ ପ୍ରତିଷ୍ଠିତ ରାଜନେତାଙ୍କ ଭୂତ ସହ ସେ ବାର୍ତ୍ତାଳାପ କରିଥିବା କଥା ବି ଦାମ୍ଭିକତାର ସହ କହୁଥିଲେ । ଭୂତମାନଙ୍କ ବୈଠକ ମଶାଣୀରେ ବସିବା ବେଳେ ତାଙ୍କୁ ଖୋଜା ପଡ଼ୁଥିଲା ଓ ସେ ଉକ୍ତ ବୈଠକରେ ଯୋଗଦେଇ ଭୂତମାନଙ୍କ ସମସ୍ୟା ସମାଧାନ କରୁଥିଲେ ବୋଲି ନିର୍ଭୀକତାର ସହ କହିବୁଲୁଥିଲେ । ହେଲେ ଏସବୁ ମନଗଢ଼ା ଗଳ୍ପର କିଛି ମୂଲ୍ୟ ରହିଲା ନାହିଁ । ଏମିତି ଜଣେ ଆତ୍ମଘୋଷିତ ଭୂତ ପ୍ରେସିଡେଣ୍ଟ ବିପିନ୍ ରାଉତ୍ରାୟଙ୍କୁ ପୁଲିସ ତାଙ୍କ ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ନନ୍ଦପୁରସ୍ଥିତ ବାସଭବନରୁ ଗିରଫ କରିଛି । ବିପିନ୍ ନିଜ ବାସଭବନରେ ଥିବା ଖବର ପାଇ ଅପରାହ୍ନ ୩ଟାରେ ପୁଲିସ ତାଙ୍କ ଘରେ ଚଢ଼ାଉ କରିଥିଲା । ପୁଲିସକୁ ଦେଖି ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ଟିମ୍ ବିପିନ୍ଙ୍କୁ କାବୁ କରିଛି । ପୁଲିସ କହିଛି ଯେ, ବିପିନଙ୍କ ନାମରେ ୨୦୧୩ ଓ ୨୦୧୬ ମସିହାରୁ ୩ଟି ମାମଲାର ୱାରେଣ୍ଟ ରହିଥିଲା । ଗିରଫ ପରେ ଅଭିଯୁକ୍ତଙ୍କ ନାମରେ ବିଆର ୫୧/୨୦୧୩ ଓ ବିଆର ୬୦୯/୨୦୧୬ ରେ ମାମଲା ରୁଜୁ କରିଛି ପୁଲିସ । ଏଥିସହିତ ଆଇପିସି ୩୦୭, ୩୪, ୪୫ ଆର୍ମ୍ସ ଆକ୍ଟରେ ମାମଲା ରୁଜୁ ହୋଇଛି । ପାଖରେ ବେଆଇନ୍ ମାରଣାସ୍ତ୍ର ରଖିବା ଓ ବନ୍ଧୁକ ଦେଖାଇ ହତ୍ୟା ଧମକ ଦେବା ଆଦି ମାମଲା ତାଙ୍କ ନାମରେ ରହିଥିଲା । ସେବେଠାରୁ ସେ ପୁଲିସ ଆଖିରେ ଧୂଳିଦେଇ ଲୁଚି ବୁଲୁଥିଲେ । ଖୋର୍ଦ୍ଧା ସଦର ଥାନା ଆଇଆଇସି ଓ ଖୋର୍ଦ୍ଧା ଏସ୍ଡିପିଓଙ୍କ କହିବା ମୁତାବକ ବିପିନ୍ ଅନେକ ଲୋକଙ୍କୁ ବନ୍ଧୁକ ଦେଖାଇ ହତ୍ୟା ଧମକ ଦେବା ସହ ବିଭିନ୍ନ ଗଣ୍ଡଗୋଳ ମାମଲାରେ ବ୍ଲାଙ୍କ୍ ଫାୟାରିଂ କରିଥିଲେ । ଏସବୁ ମାମଲାର ତଦନ୍ତ ଚାଲିଥିବା ବେଳେ ସେ ଫେରାର ଥିବା ସତ୍ତ୍ୱେ ଏହି କିଛିଦିନ ହେବ ସୋସିଆଲ ମିଡିଆରେ ଭୂତମାନଙ୍କ ପ୍ରେସିଡେଣ୍ଟ ବୋଲି ନିଜକୁ କହି ବେଶ୍ ଚର୍ଚ୍ଚାରେ ଥିଲେ । ଜଣେ ଜ୍ୟୋତିଷ ଭାବେ ସେ ପରିଚୟ ଦେଇ ବିଭିନ୍ନ ସ୍ଥାନରେ ଲୋକଙ୍କୁ ଠକିବା ଓ ବିଭିନ୍ନ କପୋଳକଳ୍ପିତ ପ୍ରବଚନ ଶୁଣାଇ ଲୋକଙ୍କୁ ଭ୍ରମିତ କରୁଥିବା ମଧ୍ୟ ଅଭିଯୋଗ ରହିଛି । ଅଭିଯୁକ୍ତ ବିପିନ୍ ମା’ବଗଳାମୁଖୀଙ୍କ ସାଧନା କରିବା ସହ ମନ୍ତ୍ରପାଠ କରି ବିଭିନ୍ନ ଲୋକଙ୍କୁ ତାଙ୍କ ସମସ୍ୟା ସମାଧାନ କରିବା ବାହାନାରେ ଠକୁଥିଲେ ।





