ମାଲକାନଗିରି, (ବାଘୁଆବାର୍ତ୍ତା): ୧୦ ଦିନ ହେଲା ଚାଲିଛି ମାଓ ବିରୋଧୀ ଅପରେସନ “କାଗାର”। ଧୀରେ ଧୀରେ ଭୁଶୁଡୁଛି ନକ୍ସଲଙ୍କ ଗଡ଼। ତେଲେଙ୍ଗାନା ଛତିଶଗଡ଼ ସୀମାନ୍ତ କେରେଗୁଟ୍ଟା ଜଙ୍ଗଲରେ ନକ୍ସଲ ଦମନ ଅଭିଯାନ ଜୋରଦାର ଚାଲିଛି। ବିଜାପୁର ଜିଲ୍ଲା କେରେଗୁଟ୍ଟା ପାହାଡ଼ ଉପରେ ସୁରକ୍ଷା ବାହିନୀ ପହଞ୍ଚି ତ୍ରିରଙ୍ଗା ଉଡାଇଛନ୍ତି। ଖବର ଅନୁଯାୟୀ, ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶ ସୀମାରେ ଥିବା କେରେଗୁଟ୍ଟା ପାହାଡ଼ ସୁରକ୍ଷାବାହିନୀ କବଜାକୁ ଆସିବା ପରେ ପ୍ରାୟ ପାଞ୍ଚ ହଜାର ଫୁଟ ଉଚ୍ଚ ପାହାଡରେ ତ୍ରିରଙ୍ଗା ଉଡିଛି । ଗତ କିଛି ଦିନ ଧରି ସୁରକ୍ଷା କର୍ମୀଙ୍କ ଲାଗି ବଡ ଚ୍ୟାଲେଞ୍ଜ ରହିଥିଲା । ପାହାଡ ଉପରେ ମାଓବାଦୀ ମାନେ ଲୁଚି ରହିଥିବା ବେଳେ ତଳେ ପାହାଡ ଚାରି ପଟେ ଜବାନଙ୍କୁ ଟାର୍ଗେଟ କରି ଲ୍ୟାଣ୍ଡମାଇନ ଲଗାଇଥିଲେ ମାଓବାଦୀ । ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୨ ଜଣ ଜବାନ ଆହତ ହୋଇଥିଲେ । ହେଲେ ମାଓ ନେତା ହିଡମାଙ୍କ ସହ ପ୍ରାୟ ଏକ ହଜାର ନକ୍ସଲ ପନ୍ଥିଙ୍କୁ ଘେରା ବନ୍ଦି କରିବା ପରେ ଗତକାଲି ବାୟୁ ସେନାର ହେଲିକେପ୍ଟର ସାହାଯ୍ୟରେ ୧୦୦ ରୁ ଅଧିକ ଯବାନ କେରେଗୁଟ୍ଟା ପାହାଡ଼ ଉପରେ ଓହ୍ଲାଇଛନ୍ତି । ଅପରେସନ ସମୟରେ ସୁରକ୍ଷା ବାହିନୀ ନିଜର ଉପସ୍ଥିତି ଜାହିର କରିଛନ୍ତି । ଆଗାମୀ କାର୍ଯ୍ୟ ପନ୍ଥା ସ୍ଥିର କରିବା ପାଇଁ ପାହାଡ଼ ଉପରେ ଏକ ଅସ୍ଥାୟୀ ଶିବିର ସ୍ଥାପନ ପାଇଁ ଏବେ ପ୍ରସ୍ତୁତି ଚାଲିଛି ।





