ନୂଆଗାଁରୁ କନ୍ଦଳବକୁ ଯୋଗାଯୋଗ ବିଚ୍ଛିନ୍ନ
ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ସୋରଡ଼ା କନ୍ଦଳବ ରାସ୍ତାରେ ଥିବା ବେଲପା ନଦୀ ପୋଲ ଆଜି ସଂନ୍ଧ୍ୟା ସମୟରେ ଭୁଶୁଡ଼ି ପଡ଼ିଛି । ଯାହା ଫଳରେ ୫ରୁ ଉର୍ଦ୍ଧ୍ୱ ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଦୀର୍ଘ ବର୍ଷ ତଳେ ନିର୍ମାଣ ହୋଇଥିବା ଏହି ବ୍ରିଜ ଅତି ବିପ ସଂକୁଳ ଅବସ୍ଥାରେ ରହିଥିବା ବେଳେ ଏହାକୁ ମରାମତି ତଥା ନୂଆ ବ୍ରିଜ ନିର୍ମାଣ ପାଇଁ ଦାବି ହୋଇ ଆସୁଥିଲା । ମାତ୍ର ବିଭାଗୀୟ କର୍ତ୍ତୁପକ୍ଷ ଏ ଦିଗରେ ଦୃଷ୍ଟି ନଦେବାରୁ ଆଜି ଏହି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ଖୋର୍ଦ୍ଧା ବଲାଙ୍ଗିର ଜାତୀୟ ରାଜପଥ ସୋରଡ଼ାଠାରୁ କନ୍ଦଳବକୁ ରହିଥିବା ଆର୍ଡି ରାସ୍ତାରେ ବେଲପା ନଦୀ ଉପରେ ଏକ ପୋଲ ରହିଥିଲା । ଏହି ପୋଲ ଉପରେ କନ୍ଦଳବ, ଜଗନ୍ନାଥ ପ୍ରସାଦ, ଗୈାଡ଼କାନ୍ତରାପଲ୍ଲୀ ଏବଂ ସିକ୍ରିଡ଼ା ସମେତ ଆଖପାଖ ଅଂଚଳର ହଜାର ହଜାର ଲୋକ ନିର୍ଭର କରୁଥିଲେ । ଆଜି ସଂନ୍ଧ୍ୟାରେ ଏହି ପୋଲ ଭୁଶୁଡ଼ିଥିବା ବେଳେ ଏହି ଅଂଚଳକୁ ଯାତାୟତ ସଂମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ପୋଲଟିର ଗୋଟିଏ ପଟ ମୁଣ୍ଡରୁ ଏହାର କିଛି ଅଂଶ ଏକ ବଡ଼ ଗର୍ତ୍ତ ହୋଇ ତଳକୁ ଖସି ପଡ଼ିଥିବା ଦେଖାଯାଇଛି । ଯାହା ଫଳରେ ରାତିରେ ଅନେକ ଲୋକ ଯାତାୟତ କରିବାରେ ବାଧା ସୃଷ୍ଟି ହୋଇଥିବା ବେଳେ ପ୍ରଶାସନ ଏକ ଆପ୍ରୋଚ ରୋଡ଼ କରିବା ସହ ନୂତନ ପୋଲ ନିର୍ମାଣ କରିବା ପାଇଁ ଦାବି କରିଛନ୍ତି ।





