ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଦିନ ଦ୍ୱିପ୍ରହରରେ ରାଜଧାନୀରେ ୩ଜଣ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିବା ଭଳି ଅଭିଯୋଗ ହୋଇଛି । ଅଶାନ୍ତ ହୋଇ ପଡିଛି ରାଜ୍ୟ ରାଜଧାନୀ । ଦିନ ଦ୍ୱିପ୍ରହରେ ଖଣ୍ଡା ଓ ବିଭିନ୍ନ ମାରଣାସ୍ତ୍ର ଧରି ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ୧୨ଜଣ ଅସାମାଜିକ ଯୁବକ । ରକ୍ତ ରଞ୍ଜିତ ହେଲା ମାଷ୍ଟରକ୍ୟାଣ୍ଟିନ୍ ରାସ୍ତା ଓ ତା’ର ଆଖପାଖର ଗଳିକନ୍ଦି । ୧୨ଜଣ ଯୁବକ ଭିଆଇଲେ ଏଭଳି ଜଘନ୍ୟ ଘଟଣା ଓ କମିଶନର ପୁଲିସକୁ ଦେଲେ ଖୋଲା ଚ୍ୟାଲେଞ୍ଜ । ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଜଘନ୍ୟ ଘଟଣା ଘଟାଇ ଅପରାଧିମାନେ ହୋଇଗଲେ ଫେରାର । ଜନଗହଳୀପୂର୍ଣ୍ଣ ମାଷ୍ଟରକ୍ୟାଣ୍ଟିନ ଛକ। ହଠାତ୍ ୧୨ ଜଣ ଯୁବକ ଖଣ୍ଡା ଓ ଲୁହା ରଡ୍ ଧରି ଆସିଲେ। ସେମାନେ ୩ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ଅଧଘଣ୍ଟାଏରୁ ଅଧିକ ସମୟ ଧରି ସେମାନେ ମାଷ୍ଟରକ୍ୟାଣ୍ଟିନ ଛକରେ ଆତଙ୍କରାଜ ଚଳାଇଲେ। ଆଉ ତା’ପରେ ସେଠାରୁ ଚମ୍ପଟ ମାରିଲେ। ଖବର ପାଇ କମିଶନରେଟ୍ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ୍ ମେଡିକାଲ୍ରେ ଭର୍ତ୍ତି କରିଥିଲେ। ସେମାନଙ୍କ ଶରୀରରେ ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ଚିହ୍ନ ସୃଷ୍ଟି ହୋଇଛି। ଆହତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍ବେଗ ଜନକ ରହିଛି।





