ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲା ଭାପୁର ବ୍ଲକ ଅଫିସ ସମ୍ମୁଖରେ ୪୧ଜଣ ନେତାଙ୍କ ଆମରଣ ଅନଶନ ଆଜି ଚତୁର୍ଥ ଦିନରେ ପହଞ୍ଚିଛି । ଅନଶନକାରୀଙ୍କ ମଧ୍ୟରୁ ଆଜି ୨ଜଣ ଅସୁସ୍ଥ ହୋଇ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ସେମାନେ ହେଲେ ବାଇଗୁଣିଆଁ ଗ୍ରାମର ଦିଲ୍ଲିପ କୁମାର ମହାପାତ୍ର ଏବଂ ମାଳିବେରଣୀ ଗ୍ରାମର ସନ୍ତୋଷ କୁମାର ସାମଲ । ତେବେ, ଆନ୍ଦୋଳନ ୪ଦିନ ଅତିକ୍ରାନ୍ତ ହୋଇଥିଲା ବେଳେ ଆଜି ଜିଲ୍ଲା ପ୍ରଶାସନ ନୀରବ ଦ୍ରଷ୍ଟା ସାଜିବାକୁ ନେଇ ବୁଦ୍ଧିଜୀବୀ ମହଲରେ ଗୁଞ୍ଜରଣ ସୃଷ୍ଟି କରିଛି । ବିଭିନ୍ନ ଜନାଭିମୁଖି ଯୋଜନାରେ ବ୍ଲକରେ ଚାଲିଥିବା ଦୁର୍ନୀତିକୁ ବିରୋଧ ଏବଂ ଭାରପ୍ରାପ୍ତ ବିଡ଼ିଓଙ୍କ ବଦଳି ଦାବୀ କରି ଏଭଳି ଅନଶନ ଚାଲିଥିବା ବେଳେ ଜିଲ୍ଲା ଓ ରାଜ୍ୟ ପ୍ରଶାସନର ନୀରବ ଦର୍ଶକ ଭୂମିକା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି ।






