ଚାନ୍ଦବାଲି, (ବାଘୁଆବାର୍ତ୍ତା): ଅଧୁରା ରହିଲା ବାବା ଆଖଣ୍ଡଳମଣିଙ୍କ ଦର୍ଶନ । ପ୍ରଭୁଙ୍କ ଦର୍ଶନ ପୂର୍ବରୁ ଚାଲିଗଲା ଯୁବକଙ୍କ ଜୀବନ । ମୃତକ ହେଉଛନ୍ତି ଧାମନଗର ଥାନା ଅନ୍ତର୍ଗତ ଦୋବଲ ସୋହଡା ଶାସନର ଦେବବ୍ରତ ମିଶ୍ର । ଭଦ୍ରକ ଜିଲ୍ଲା ଆରଡ଼ି ପୀଠରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି । ସୂଚନା ମୁତାବକ, ଦୁଇଟି ବାଇକ୍ରେ ୪ଜଣ ସାଙ୍ଗ ରବିବାର ସକାଳୁ ସକାଳୁ ଭଦ୍ରକରୁ ଆରଡ଼ି ଆସିଥିଲେ । ଆରଡ଼ିରେ ପହଞ୍ଚିବା ପରେ ପୀଠରେ ଥିବା ଶିବ ଗଙ୍ଗା ପୁଷ୍କରିଣୀରେ ଗାଧୋଇଥିଲେ । ହେଲେ ଗାଧୋଇବା ବେଳେ ଦେବବ୍ରତ ମିଶ୍ର ଏବଂ ତାଙ୍କର ଆଉ ଜଣେ ସାଙ୍ଗ ପାଣିରେ ବୁଡି ଯାଇଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ଏବଂ ତାଙ୍କ ସାଙ୍ଗ ମିଶି ଦୁଇ ଜଣଙ୍କୁ ଉଦ୍ଧାର କରି ଆରଡ଼ି ମେଡିକାଲକୁ ନେଇଥିଲେ । ହେଲେ ସେଠାରେ ଦେବବ୍ରତର ମୃତ୍ୟୁ ହୋଇଥିଲା । ଏସମ୍ପର୍କରେ ଖବର ପାଇ ଆରଡ଼ି ଫାଣ୍ଡି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।






