ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଭାଗବତ ବେହେରାଙ୍କ ଆଜି ଶ୍ରାଦ୍ଧ ଦିବସ ଅବସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭିସି ମାଧ୍ୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ସଭାପତିତ୍ୱ କରିଥିଲେ । ନୟାଗଡ଼ ପାଇଁ ଭାଗବତଙ୍କ ଅବଦାନ ଚିର ସ୍ମରଣୀୟ ବୋଲି ଅରୁଣ କହିବା ସହ ସେ ସମାଜବାଦ, ଧର୍ମ ନିରପେକ୍ଷତାର ପ୍ରତୀକ ଥିଲେ ବୋଲି କହିଥିଲେ । ତାଙ୍କ ପିତା ଜଣେ ସ୍ୱାଧିନତା ସଂଗ୍ରାମୀ ଥିବାରୁ ସେ ଗାନ୍ଧୀବାଦରେ ବିଶ୍ୱାସ କରୁଥିଲେ । ଭାରତ ବର୍ଷରେ ଆଜିକାର ରାଜନୀତିରେ ଧର୍ମ ଓ ଅଧର୍ମ ନାମରେ ରାଜନୀତି କରାଯାଉଛି । ରାଜନୀତିରେ ସମାଜସେବାକୁ ଯେପରି ଗୁରୁତ୍ୱ ଦେବା କଥା, ସେହିପରି ଦିଆଯାଉ ନାହିଁ ।

ଜଣେ ରାଜନୈତିକ ବ୍ୟକ୍ତିତ୍ୱ ତାଙ୍କ କର୍ମମୟ ଜୀବନରେ ସମାଜସେବା ପାଇଁ ନିଜକୁ ଉତ୍ସର୍ଗିକୃତ୍ତ କରିବା ଆବଶ୍ୟକ ପଡ଼ିଛି । ଜାତୀୟ ରାଜନୀତିରେ ଏହା ଓଲଟା ଦେଖା ଯାଉଛି । ଭାଗବତ ବାବୁଙ୍କର ଚିନ୍ତା ଓ ଚେତନା ସଦାସର୍ବଦା ନୟାଗଡ଼ ବାସୀଙ୍କ ପାଇଁ ଉତ୍ସର୍ଗିକୃତ୍ତ ଥିବା ଆଜିର ଦିନରେ ମନେ ହେଉଛି । ଭାଗବତଙ୍କ ଚିନ୍ତା ଧାରାକୁ ସମସ୍ତେ ଅନୁସରଣ କରିବା ଆବଶ୍ୟକ ବୋଲି ମନ୍ତ୍ରୀ ଦୃଢ଼କ୍ତି ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ତଥା ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ତାଙ୍କ ବକ୍ତବ୍ୟରେ ଭାଗବତଙ୍କ ନୟାଗଡ଼ ନିର୍ବାଚନ ମଣ୍ଡଳୀର ଲୋକଙ୍କ ପାଇଁ ଭୋକ ଉପାସରେ ରହି କାର୍ଯ୍ୟ କରୁଥିଲେ । ଗାଁ ଗାଁକୁ ସାଇକେଲରେ ଯାଇ ସେବା କରୁଥିଲେ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଭାଗବତ ଓ ତାଙ୍କ ଭିତରେ ଥିବା ସମ୍ପର୍କ ବିଷୟରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବ୍ଲକ ଅଧ୍ୟକ୍ଷା ଗୋଲାପ ଦଳବେହେରା, ଓଡ଼ଗାଁ ବ୍ଲକ ଉପାଧ୍ୟକ୍ଷା ବିରଜା ଲକ୍ଷ୍ମୀ ସାହୁ, କୃଷକ ନେତା ଜଗନ୍ନାଥ ପଣ୍ଡା, ବସନ୍ତ ରଥଶର୍ମା, ସୁବାସ କଅଁର, ଗୁରୁପ୍ରସାଦ ଜେନା, ଶେଖ୍ ନୟିମୁଦ୍ଦିନ, ଗଙ୍ଗାଧର ପଣ୍ଡା ପ୍ରମୂଖ ଯୋଗ ଦେଇଥିଲେ ।






