ନୟାଗଡ଼,(ବାଘୁଆବାର୍ତ୍ତା): ଘର ଛାଡ଼ି ବାହାରେ ରହି ଚାକିରୀ କଲେ, ସେଠାରେ ଯୁବକ ଜଣକ ଜଣେ ଯୁବତୀକୁ ପ୍ରେମ ଜାଲରେ ଫସାଇଥିଲେ । ଯୁବତୀକୁ ପ୍ରେମ କରି ଆସି ଗାଁରେ ଆଉ ଏକ ଯୁବତୀକୁ ବିବାହ କରିବା ପାଇଁ ଆୟୋଜନ ହେଉଥିବା ଖବର ପାଇଁ ପ୍ରେମିକା ଜଣକ ଯୁବକଙ୍କ ଗାଁକୁ ଆସି ପ୍ରେମିକ ଦୁଆରେ ଧାରଣା ଦେଇଥିବା ଜଣାପଡିଛି । ଏଭଳି ଘଟଣା ଘଟିଛି ଓଡ଼ଗାଁ ଅଞ୍ଚଳରେ । ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ଭାଡ଼ିକିଳା ହରିଡ଼ାସାହିର ରଘୁନାଥ ସାହୁଙ୍କ ପୁଅ ପ୍ରଶାନ୍ତ କୁମାର ସାହୁ ବ୍ରହ୍ମଗିରି ଅଞ୍ଚଳରେ ଏକ ଫାଇନାନ୍ସ ସଂସ୍ଥାରେ କାର୍ଯ୍ୟ କରୁଥିଲେ । ସେଠାକାର ଜଣେ ଯୁବତୀଙ୍କ ସହ ପ୍ରଶାନ୍ତଙ୍କ ପ୍ରେମ ସଂପର୍କ ଗଢି ଉଠିଥିଲା । ପ୍ରଶାନ୍ତଙ୍କୁ ପରିବାର ଲୋକେ ବ୍ରହ୍ମଗିରିରୁ ରାଉଲକେଲା ବଦଳି କରାଇଥିଲେ । ଏହାକୁ ସୁବିଧା ଭାବି ପ୍ରଶାନ୍ତ ଉକ୍ତ ଯୁବତୀ ସହିତ କଥା ହେବା ବନ୍ଦ କରି ଦେଇଥିଲେ । ଯାହା ଫଳରେ ଯୁବତୀଙ୍କର ପ୍ରଶାନ୍ତଙ୍କ ସହିତ ଯୋଗାଯୋଗ ହୋଇ ନଥିଲା । ଯୁବତୀ ଜଣକ ପ୍ରଶାନ୍ତଙ୍କ ଗାଁରେ ପହଞ୍ôଚଗାଁ ସଭାର ଦ୍ୱାରସ୍ଥ ହୋଇଥିଲେ । ଗାଁଲୋକଙ୍କ କଥାକୁ ପ୍ରଶାନ୍ତଙ୍କ ପରିବାର ଲୋକ ମାନିନଥିବା ଜଣାଯାଇଛି । ଯାହାକୁ ନେଇ ଯୁବତୀ ନ୍ୟାୟ ଦାବିରେ ପ୍ରଶାନ୍ତଙ୍କ ଘର ସାମ୍ନାରେ ଧାରଣା ଦେଇଛନ୍ତି । ପ୍ରଶାନ୍ତଙ୍କ ପରିବାର ଲୋକ ଘରେ ତାଲା ପକାଇ ଫେରାର ହୋଇଯାଇଥିବା ବିଶେଷ ସୁତ୍ରରୁ ଜଣାପଡିଛି ।





