ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ ନାବାଳିକା ବିବାହ ଏକ ବ୍ୟାଧିରେ ପରିଣତ ହୋଇଥିବା ବେଳେ ଜିଲ୍ଲାରେ କୋଣ ଅନୁକୋଣରେ ପହଂଚି ପ୍ରଶାସନ ଏବଂ ଚାଇଲ୍ଡ ଲାଇନ ନାବାଳିକା ବିବାହ ରୋକୁଥିବା ଜଣାଯାଇଛି । ଏଭଳି ସ୍ଥଳେ ଖଣ୍ଡପଡ଼ା ବ୍ଲକ ସରପୋଖରୀ ଗ୍ରାମରେ ପହଂଚି ପୁଲିସ, ପ୍ରଶାସନ ଏବଂ ଚାଇଲ୍ଡ ଲାଇନ ଏକ ନାବାଳିକା ବିବାହ ରୋକିବା ସହ ଝିଅକୁ ଉଠାଇ ଆଣିଥିବା ଜଣାଯାଇଛି । ସୂଚନାନୁସାରେ, ଖଣ୍ଡପଡ଼ା ଅଂଚଳର ଜଣେ ବସ ହେଲପରଙ୍କ ନାବାଳିକା ଝିଅ ସହ ସରପୋଖରୀ ଗ୍ରାମର ଗାଡ଼ି ଚାଳକ ତ୍ରିନାଥ ସ୍ୱାଇଁଙ୍କର ବିବାହ ହେଉଥିଲା । ବିବାହ ନିମନ୍ତେ ଝିଅ ପୁଅ ଘରେ ପହଂଚି ସାରିଥିବା ବେଳେ ଭୋଜି କାର୍ଯ୍ୟ ଶେଷ ହୋଇ ବାହାଘର ପାଇଁ ବେଦୀ ବନ୍ଧା ସରିଥିଲା । ସୁତ୍ରରୁ ଖବରପାଇ ଚାଇଲ୍ଡ ଲାଇନ ସଦସ୍ୟ ଚନ୍ଦ୍ର ଶେଖର ବେହେରା, ସୁଜାତା ବେହେରା, ଆସିଡିଏସ୍ ସନ୍ତୋଷିନୀ ପାଣି ଏବଂ ଖଣ୍ଡପଡ଼ା ପୁଲିସ ପୁଅ ଘରେ ପହଂଚି ନାବାଳିକାକୁ ଉଦ୍ଧାର କରି ସିଡବ୍ଲ୍ୟୁସିରେ ହାଜର କରିଛନ୍ତି । ଏହି ଘଟଣାରେ ଖଣ୍ଡପଡ଼ା ଥାନାରେ ଏକ ଷ୍ଟେସନ୍ ଡାଏରୀ ହୋଇଥିବା ଜଣାଯାଇଛି ।





