ଭୁବନେଶ୍ୱର (ବାଘୁଆବାର୍ତ୍ତା): ରାଜ୍ୟରେ କରୋନା ସ୍ଥିତି ବିଗିଡିବାରେ ଲାଗିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ବଢ଼ୁଛି । କରୋନାକୁ ମାତ ଦେବା ପାଇଁ ରାଜ୍ୟରେ ଟିକାକରଣ କାର୍ଯ୍ୟ ଜୋରଦାର ଚାଲିଛି । ଏହାରି ମଧ୍ୟରେ ସାଧୁ, ସନ୍ଥ, ଅସହାୟ, ଭିକାରୀ ଓ ମାନସିକ ବିକୃତ ଲୋକଙ୍କୁ ଟିକା ଦିଆଯିବ ନେଇ ନିଷ୍ପତ୍ତି ହୋଇଛି । ଏଭଳି ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ଟିକା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ସବୁ ଜିଲ୍ଲାପାଳ ଓ ମୁନସିପାଲ କମିଶନରଙ୍କୁ ଚିଠି ଲେଖିଛନ୍ତି । ଟିକା ପାଇଁ ୭ଟି ପରିଚୟ ପତ୍ର ମଧ୍ୟରୁ ଗୋଟିଏ ଦେଖାଇବାକୁ ପଡୁଛି । ସାଧୁସନ୍ଥ ଓ ଭିକାରୀଙ୍କ ଭଳି କିଛି ବ୍ୟକ୍ତି ଅଛନ୍ତି ଯାହାଙ୍କ ପାଖରେ ଏସବୁ କିଛି ନାହିଁ । ସେମାନଙ୍କୁ ବି ସଂକ୍ରମଣ ଭୟ ରହୁଛି । ଏଭଳି ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ଟିକାକରଣ କରାଯାଉ ବୋଲି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ କହିଛନ୍ତି ।






