ଗୋପାଳପୁର (ବାଘୁଆବାର୍ତ୍ତା): ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ଅନ୍ତର୍ଗତ ସାନକୁଶସ୍ଥଳୀ ଗାଁରେ ଚୋରା ବିଦେଶୀ ମଦ ବେପାର ଚାଲିଥିବା ବେଳେ ଅବକାରୀ ଅଧିକାରୀମାନେ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ଉକ୍ତ ସ୍ଥାନରୁ ମାତ୍ର ୨ଟି ବିୟର ବୋତଲ ମିଳିଥିଲା । ତେବେ ଚଢ଼ାଉ ବେଳେ ବିଭାଗୀୟ କର୍ମଚାରୀଙ୍କୁ ଆକ୍ରମଣ ଉଦ୍ୟମ କରାଯାଇଛି । କରୋନା ସଂକ୍ରମଣ ରୋକିବା ପାଇଁ ଲକଡାଉନ ଜାରି କରାଯାଇଛି । ଏଥିସହ ଲାଇସେନ୍ସ ପ୍ରାପ୍ତ ବିଦେଶୀ ମଦ ଦୋକାନ ବନ୍ଦ ରହିଛି । କିନ୍ତୁ ସାନକୁଶସ୍ଥଳୀ ଗ୍ରାମର ଜଣେ ବ୍ୟକ୍ତି ଘରେ ଚୋରା ବିଦେଶୀ ମଦ ରଖି ଅଧିକ ଦରରେ ବିକ୍ରି କରୁଥିବା ଖବର ଅବକାରୀ ବିଭାଗ ପାଇଥିଲା । ବ୍ରହ୍ମପୁର ଅବକାରୀ ଜିଲ୍ଲା ଷ୍ଟ୍ରାଇକିଂ ଫୋର୍ସ, ସଦର ରେଞ୍ଜ ଅଧିକାରୀ ଓ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ତହସିଲଦାର ଉକ୍ତ ବ୍ୟକ୍ତିଙ୍କ ଘରେ ଚଢ଼ାଉ କରିଥିଲେ । କିନ୍ତୁ ସେଠାରୁ ମାତ୍ର ୨ଟି ବିୟର ବୋତଲ ମିଳିଥିଲା । ଏଥିସହ ଅବକାରୀ କର୍ମଚାରୀଙ୍କ ସହ ସମ୍ପୃକ୍ତ ଘରର ଲୋକମାନେ ଯୁକ୍ତିତର୍କ କରିଥିଲେ । ଗୋପାଳପୁର ପୋଲିସ ପହଞ୍ଚିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।






