ନୀଳଗିରି, (ବାଘୁଆବାର୍ତ୍ତା): ନୀଳଗିରିରେ ପୁଣି ଭାଲୁ ଆତଙ୍କ। ଜନୈକ ଯୁବକ କାମରୁ ଫେରିବା ବେଳେ ଦୁଇଟି ଭାଲୁ ଆକ୍ରମଣ କରି ଗୁରୁତର କରି ପକାଇଛନ୍ତି। ଗୁରୁତର ଯୁବକ ଜଣକ ହେଲେ ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧିନ ବାଲିଓରା ଗ୍ରାମର କରୁଣାକର ଜେନା(୫୫) । ସୂଚନାଯୋଗ୍ୟ, ସୋମନାଥପୁର ଅଞ୍ଚଳରେ ଥିବା ଏକ ଏଜବେଷ୍ଟସ କମ୍ପାନୀରେ କରୁଣାକର କାମ କରିଥାନ୍ତି। ସୋମବାର ବିଳମ୍ବିତ ରାତିରେ କାମ କରି ସାଇକେଲରେ ଘରକୁ ଫେରୁଥିଲେ । ଏହି ସମୟରେ ନିଶ୍ଚିତପୁର ଅଞ୍ଚଳରେ ଦୁଇଟି ଭାଲୁ ସହ ସାମ୍ମାସାମ୍ନି ହୋଇଥିଲେ। ପରେ ଭାଲୁ ଦ୍ବୟ ତାଙ୍କୁ ସାଇକେଲରୁ ଟାଣି ଆକ୍ରମଣ କରିଥିଲେ। ଫଳରେ ତାଙ୍କ ମୁଣ୍ଡ ସମେତ ଶରୀରର ବହୁତ ସ୍ଥାନ କ୍ଷତ ହୋଇଥିବା ଜଣାପଡିଛି। ତାଙ୍କୁ ଗୁରୁତର ଭାବେ ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।






