ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଆଜି ନିର୍ମାଣ ବିଭାଗ ପକ୍ଷରୁ ୯୪ ଜଣ ନବନିଯୁକ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି ।
ସ୍ଥାନୀୟ ଲୋକସେବା ଭବନସ୍ଥିତ କନ୍ଭେନ୍ସନ୍ ହଲ୍ଠାରେ ଆୟୋଜିତ ଉନ୍ମୁଖୀକରଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖଣି ଓ ଇସ୍ପାତ, ପୂର୍ତ୍ତ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ନବନିଯୁକ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀମାନଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ । ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବନିଯୁକ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀମାନଙ୍କ ଉଦ୍ଦେଶ୍ୟରେ ଦେଇଥିବା ଭିଡ଼ିଓ ବାର୍ତ୍ତା ପ୍ରଦର୍ଶିତ ହୋଇଥିଲା । ଶ୍ରୀ ମଲ୍ଲିକ ନବନିଯୁକ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀମାନଙ୍କୁ ସମ୍ବୋଧିତ କରି କହିଲେ ଯେ ଆଜିର ଯୁଗ ହେଉଛି ଟେକ୍ନୋଲୋଜିର ଯୁଗ । ଗତାନୁଗତିକ ଧାରାରୁ ବାହାରକୁ ଆସି ନୂଆ ନୂଆ ଜ୍ଞାନକୌଶଳକୁ ନିର୍ମାଣ କ୍ଷେତ୍ରରେ ବ୍ୟବହାର କରିବା ଆବଶ୍ୟକ । ରାଜନେତା ହୁଅନ୍ତୁ ବା ସରକାରୀ କର୍ମଚାରୀ, ଆମେ ସମସ୍ତେ ଜନସାଧାରଣଙ୍କ ସେବକ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏହି ବାଣୀକୁ ସବୁବେଳେ ମନେରଖିବା ସହ ୫-‘ଟି’ ଆଧାରରେ କାର୍ଯ୍ୟ କରିବାକୁ ସେ ନବନିଯୁକ୍ତମାନଙ୍କୁ ପରାମର୍ଶ ଦେଇଥିଲେ । ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଯେ ଆମ ସରକାର ବିଗତ କିଛି ବର୍ଷ ମଧ୍ୟରେ ଅନେକଗୁଡ଼ିଏ ଆଖିଦୃଶିଆ କାର୍ଯ୍ୟକ୍ରମ
ହାତକୁ ନେଇ ସମଗ୍ର ଦେଶ ତଥା ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଏହି ବିକାଶଧାରାକୁ ଆଗେଇନେବାକୁ ହେଲେ ନିଜର ଜ୍ଞାନର ପରିସୀମା ବୃଦ୍ଧି କରିବା ସହ ନିଜ ଭିତରେ ନେତୃତ୍ୱ ନେବାର ଦକ୍ଷତା ସୃଷ୍ଟି କରିବାକୁ ପଡ଼ିବ ବୋଲି ଶ୍ରୀ ମହାପାତ୍ର କହିଥିଲେ । ଏହି ସମ୍ମିଳନୀରେ ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟର ପ୍ରଗତିକୁ ଦ୍ରୁତ ଗତିରେ ଆଗେଇ ନେବା ପାଇଁ ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହା ପୂରା କରିବା ପାଇଁ କାର୍ଯ୍ୟ ଆରମ୍ଭର ପ୍ରଥମ ଦିନରୁ ପଣ କରିବାକୁ ପଡ଼ିବ । ଏଥି ସହିତ କାର୍ଯ୍ୟର ଗୁଣବତ୍ତା ଉପରେ ସବୁବେଳେ ଧ୍ୟାନଦେବାକୁ ପଡ଼ିବ ବୋଲି ଶ୍ରୀ ଜେନା ତାଙ୍କ ବକ୍ତବ୍ୟରେ କହିଥିଲେ । ଏହି ସମ୍ମିଳନୀରେ ନିର୍ମାଣ ବିଭାଗ କମିଶନର ତଥା ଶାସନ ସଚିବ ଡ. କି୍ରଷ୍ଣନ କୁମାର ସ୍ୱାଗତ ଭାଷଣ ଦେବା ସହ ରାଜ୍ୟ ସରକାର କୋଠାବାଡ଼ି, ସେତୁ, ରାସ୍ତା ନିର୍ମାଣ ଆଦି କ୍ଷେତ୍ରରେ ବ୍ୟାପକ କରିବା ସହ ପୁରୀ ଜଗନ୍ନାଥ ମନ୍ଦିର, ଏକାମ୍ର କ୍ଷେତ୍ର, ପଶ୍ଚିମ ଓଡ଼ିଶାର ସମଲେଶ୍ୱରୀ ପୀଠ ଆଦିର ଉନ୍ନତିକରଣ ପାଇଁ ଅନେକ ଆଖିଦୃଶିଆ ଉଦ୍ୟମ କରିଛନ୍ତି । ବିଜୁ ଏକ୍ସପ୍ରେସ୍ େୱ ଜରିଆରେ ଆଜି ପଶ୍ଚିମ ଓଡ଼ିଶାର ବିକାଶକୁ ତ୍ୱରିତ ବେଗରେ ଆଗେଇ ନିଆଯାଇଛି । ଗ୍ରାମାଞ୍ଚଳ ତଥା ନକ୍ସଲ ପ୍ରଭାବିତ ଅଞ୍ଚଳର ବିକାଶକୁ ତ୍ୱରାନ୍ୱିତ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଯେଉଁ ଲକ୍ଷ୍ୟ ରଖିଛନ୍ତି
ଆଗାମୀ ଦିନରେ ନବନିଯୁକ୍ତ ଇଂଜିନିୟରମାନେ ଏହା ପୂରା କରିବାରେ ନିଜର ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଦେବେ ବୋଲି ସେ ମତପ୍ରକାଶ କରିଥିଲେ । ବୈଠକରେ ସର୍ବୋଚ୍ଚ ଯନ୍ତ୍ରୀ (ସିଭିଲ୍) ଶ୍ରୀ ଅନୀଲକାନ୍ତ ତି୍ରପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମର ଦ୍ୱିତୀୟାଦ୍ଧରେ ନବନିଯୁକ୍ତ ଇଂଜିନିୟରମାନଙ୍କ ନିମନ୍ତେ ଏକ ବୈଷୟିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା ।





