ଭୁବନେଶ୍ୱର, ବିଧାନସଭା ପବ୍ଲିକ୍ ଆକାଉଣ୍ଟସ୍ କମିଟି ବୈଠକ ଆଜି ବିଧାନସଭା ପ୍ରକୋଷ୍ଠ ୫୪ରେ ଅନୁଷ୍ଠିତ ହୋଇଯାଇଛି । କମିଟି ଅଧ୍ୟକ୍ଷ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକଙ୍କ ଜରୁରୀ କାରଣ ଯୋଗୁଁ ଅନୁପସ୍ଥିତ ହେତୁ ତାଙ୍କର ଅନୁମୋଦନ କ୍ରମେ ଭାରତୀୟ ଜାତୀୟ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଉକ୍ତ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଜଙ୍ଗଲ ଓ ପରିବେଶ ବିଭାଗ, ପଞ୍ଚାୟତିରାଜ ସଓ ପାନୀୟ ଜଳ ବିଭାଗ ସମ୍ପର୍କିତ ବକେୟା ଥିବା ଏ.ଜି. ଅଡିଟ୍ ରିପୋର୍ଟ ଉପରେ ଆଲୋଚନା ହୋଇଥିଲା । ଜଙ୍ଗଲ ଓ ପରିବେଶ ବିଭାଗର ଖାଲିଥିବା ପଦବୀ ଗୁଡିକର ତୁରନ୍ତ ପୂରଣ କରିବା ପାଇଁ ଅଧ୍ୟକ୍ଷ ନରସିଂହ ମିଶ୍ର ଅତିରିକ୍ତ ମୁଖ୍ୟ ସାସନ ସଚିବ ମୋନା ଶର୍ମାଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆସନ୍ତା ଗ୍ରୀଷ୍ମ ଋତୁକୁ ଦୃଷ୍ଟିରେ ରଖି ସମସ୍ତେ ଯେପରି ଶୁଦ୍ଧ ପାନୀୟ ଜଳ ପାଇପାରିବେ, ସେ ଦିଗରେ ମଧ୍ୟ ବିଭାଗ ତରଫରୁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଏବଂ ଆବଣ୍ଟିତ ଅର୍ଥର ସୁବିନିଯୋଗ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଶିକ୍ଷା, କୌଶଳ ବିକାଶ, ଗ୍ରାମ୍ୟ ଉନ୍ନୟନ ଏବଂ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ଉପରେ ସରକାର ସର୍ବାଧିକ ଗୁରୁତ୍ୱ ଦେଉଥିବା ବୈଠକରେ ସୂଚନା ଦିଆଯାଇଥିଲା । ତେବେ ସରକାରଙ୍କ ତରଫରୁ ଆବଣ୍ଟିତ ଅର୍ଥ ଏବଂ ଉପଲବ୍ଧ ସୁବିଧାର ପୂର୍ଣ୍ଣ ଉପଯୋଗ କରିବା ପାଇଁ ଅଧ୍ୟକ୍ଷ ମିଶ୍ର ପରାମର୍ଶ ଦେଇଥିଲେ । ଉକ୍ତ କମିଟି ବୈଠକରେ ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ବିଧାୟକ ଦେବୀ ପ୍ରସାଦ ମିଶ୍ର, ଅନନ୍ତ ନାରାୟଣ ଜେନା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା, ପି.ସି.ସି.ଏଫ୍ ଶଶି ପଲ, ପରିବେଶ ବିଭାଗ ନିର୍ଦ୍ଦେଶକ ସୁଶାନ୍ତ ନନ୍ଦ, ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା, ବିଧାନସଭା ସଚିବ ଦାଶରଥୀ ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ ।





